Latest Odisha News

ଗେରସ୍ତ

ଗେରସ୍ତ

ପ୍ରସନ୍ନ କୁମାର ସ୍ୱାଇଁ

ଆଃ କି ଗୃହପାଳିତ!
ଅଭିମନ୍ତ୍ରିତ
ଅନୁମୋଦିତ
ଅନୁପ୍ରାଣିତ
ଅନୁନାସିକ ସ୍ୱରଟିଏ।

ସାରା ଫୁଲ ବଗିଚାର ମାଲିକ ସେ ପାଳଭୂତଟିଏ।

ଖୋଳେ ନଈ
ଗଢେ ପାହାଡ଼
ବାନ୍ଧେ ବଂଧ
ତୋଳେ ଛନ୍ଦ
କଣ ନଜାଣିଛିକି
ଦିନ ରାତି ଆକାଶରୁ
ମେଘ ପରି ଝରେ
ନିରୀମାଖି ମାଟିକୁ
ନିରୋଳା ନାଭିକୁ।

ଗୋଟେ ହାତରେ ବଂଶୀ
ଆର ହାତରେ କୋଦାଳ
ଗୋଟେ କାନ୍ଧରେ କିମ୍ଭିରିଣୀର
ଲାଳ ଜଡସଡ଼ ଜିଭର ବୋଝ
ଆର କାନ୍ଧରେ ସୁନ୍ଦରୀ ମାଙ୍କେଡିର
ମହ ମହ କଳିଜାର ଭାର

ଚାଲେ ତାର ଯାତ୍ରା
ଲୋଭ ଯାତ୍ରା
ମୋହ ଯାତ୍ରା
ପଦ ଯାତ୍ରା
ଜୟ ଯାତ୍ରା

ଜଳରେ ସ୍ଥଳରେ ଆଉ ଆକାଶ ମାର୍ଗରେ।

କେବେ ଖଞ୍ଜଣି ପରିତା ପିଠି
କେବେ ଆଶାର ବୋଇତ ପରିତା ପେଟ।

ସୁର୍ୟୋଦୟରୁ ସୂର୍ଯ୍ୟାସ୍ତ
ଖାଲି ଝଣଝଣ
ଖାଲି ରଣଝଣ
ଗୋଡ଼ ଝୁମୁଝୁମୁ ବାଆଲୁବାଲୁ
ହାତ ଖଲଖଲ ସାଆଲୁସାଲୁ

କେବେ ଧାନବିଲ
କେବେ ଇଟାଭାଟି
କେବେ ନଈ ଧାର
କେବେ ଏ.ସି. କୋଠି।

କୋଉଠି ଫଟା ଗୋଇଠିର ଧାରେ ରକ୍ତ
କେତେବେଳେ
ମଖମଲ ସେଜ ବୁଦ୍ଧି ଖେଳ।

ଆଉ ସୂର୍ଯ୍ୟାସ୍ତରୁ ସୂର୍ୟୋଦୟ (ବଡ଼ କଠିନ ସେ ପ୍ରୀତି ପାଳିବା)
ତା ପାଚିଲା ଧାନ କ୍ଷେତରୁ କଟାହୁଏ ଧାନ
ହାଡ଼ ସନ୍ଧିରୁ ତୋଳା ହୁଏ ଜାଇ ଜୁଇ ମାଳତୀ
ତା ସୁଶୋଭନ ଛାତିରୁ ରୂପ,ରାଗ, ଲୟ ଆଉ ଲାବଣ୍ୟ ଓ
ଯେତକ ସରାଗ ।

ରାତିସାରା ନଡ଼ ନଡ଼
ଶୁଖୁଆ ଖଡ଼ ଖଡ଼
ଭରେ ନଈ
ଦେଖେ ଛଇ
ଯନ୍ତର ମନ୍ତର ତେପନ ତନ୍ତର
ଛୁଟୁକି ଛୁଆଁରେ ଦୁଲକେ ମହୀ।

ତା ଜୀବନ
ଏକ ସୁପରିଚିତ ପ୍ରେମ ସଙ୍ଗୀତ
ଯାହାର ଆରମ୍ଭ ଅଛି ଶେଷ ନାହିଁ
ଯାହାର ମୁଖୁଡା ଅଛି ଅନ୍ତରା ନାହିଁ।

ସ୍ୱପ୍ନ ତାର
ସିଂହାସନ ତାର
ପୋଖରୀ ତାର
ପଦ୍ମଫୁଲ ତାର
ଛାତିର କ୍ଷତ ତାର
କୁହୁକ କିମିଆ ତାର
ଘର ତାର ବାରଣ୍ଡା ବି ତାର
ଏମିତିକି ନିକାଂଚନ ସମୟର
ତତଲା ରାସ୍ତା ତାର।

ୠତୁ ଆଉ ଅଋତୁରେ
ସେ ନିଜକୁ ନିଗାଡୁ ଥାଏ
ନିଗାଡୁ ଥାଏ
ତା ଶ୍ୟାମଳ ଦୃଶ୍ୟ
କୋମଳ ସ୍ପର୍ଶ
ନବୀନ ନିରଦ ବେଶ
ଫୁଲା ଫାଂକଳିଆ ହସ
ଛନ୍ଦର ମନ୍ଦର ନିଶ
ତା ଅୟୁତ ଯୁଗର ଶୋଷ।

କପରୁ ଚା ସରିବା ପରି
ସେ ସରୁ ଥାଏ ଶୀତରୁ ବସନ୍ତ।

ତା ଶଙ୍ଖ ଧ୍ଵନି
ତା ଅଭିସାର
ତା ଛନଛନ
ତା ଆଲିଙ୍ଗନ

ତା ସୁନାର ଚାମଚ
ତା ଖଲିପତ୍ର
ତା ଅନୁଭବ
ତା କୁଳ ଗୋତ୍ର

ସବୁଠି ଦେଖ
ସେ ଗୋଟେ
କେବଳ ଗେରସ୍ତ।

Comments are closed.