Latest Odisha News

ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ

 ମିଶ୍ରରାଗ 

ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ

କେଦାର ମିଶ୍ର

ଲେଖା ନ ମାଡିବା ଯାଏ ଲେଖି ହୁଏନାହିଁ । ଏକଥା ଯେ କହିଥିଲେ, ସେ ଆମ ସାହିତ୍ୟର ସବୁଠୁ ବେଶୀ ଲେଖିଥିବା ଲେଖକଙ୍କ ଭିତରୁ ଅନ୍ୟତମ। ହଁ, ମୁଁ ଗୋପୀନାଥ ମହାନ୍ତିଙ୍କ କଥା କହୁଛି। ଗୋପୀ ବାବୁ ତାଙ୍କର ପ୍ରସିଦ୍ଧ ପ୍ରବନ୍ଧ ସଂକଳନ “କଳାଶକ୍ତି” ରେ ଲେଖା ମାଡିବା କଥାଟିକୁ ବଡ ବ୍ୟାପକ ଭାବରେ ବୁଝାଇଛନ୍ତି। ତେବେ ଲେଖା ମାଡିବା ଓ “ମୁଡ” ଆସିଲେ ଯାଇ ଲେଖିବା ଏକା କଥା କି? ପୃଥିବୀର ବହୁ ବିଖ୍ୟାତ ଲେଖକଙ୍କ ପାଇଁ ଲେଖା ଏକ ଅଭ୍ୟାସ। ଏକଦା ବିଶିଷ୍ଟ କବି ମାୟା ଆଞ୍ଜେଲ୍ଯୁ କହିଥିଲେ, ଲେଖିବା ଆରମ୍ଭ କଲେ, ଲେଖି ହୋଇଯାଏ। ତେବେ ସବୁଠୁ କଠିନ କାମଟି ହେଉଛି, ଲେଖିବା ପାଇଁ ବସି ପାରିବା। ଆମର ବହୁ ଲେଖକ ଲେଖିବା ପାଇଁ ବସି ପାରନ୍ତି ନାହିଁ। ତାର ଏକମାତ୍ର କାରଣ ହେଉଛି, ଲେଖାକୁ ନେଇ ତାଙ୍କ ଭିତରେ କୌଣସି ଚାପ ନଥାଏ। ସେମାନେ ନ ଲେଖିଲେ, ସକାଳର ଚୁଲି ଜଳିବ ନାହିଁ କିମ୍ବା ଝିଅର ଟ୍ୟୁସନ ଫି ଦେଇହେବନାହିଁ, ବୋଲି ସେମିତି କୌଣସି ଚାପ ନଥାଏ। ଆମର ସବୁ ଲେଖକ ସୌଖୀନ। ପାର୍କକୁ ବା ସପିଙ୍ଗ ମଲକୁ ମନ ହେଲେ ବୁଲିବାକୁ ଗଲା ପରି, ଆମେ ମନହେଲେ ଲେଖୁ। ଆମର ଲେଖା ପଢିବାକୁ କେହି ଯେ ଅପେକ୍ଷା କରି ରହିଛି ବା ଆମେ ନ ଲେଖିଲେ କାହାର ବ୍ୟବସାୟ ବୁଡିଯିବ, ସେମିତି ଅବସ୍ଥା ଆମର ନାହିଁ। ସେ ପ୍ରକାର ଲେଖା ଲେଖୁଥିବା ଲେଖକକୁ ଆମେ “ବରାଦିଆ” ବା “ଶସ୍ତା” ବୋଲି କହି ଅତି ସହଜରେ ପ୍ରତ୍ୟାଖ୍ୟାନ କରିଦେଉ।

ତେବେ ସାହିତ୍ୟର ଯେତେ ଗୁଣସୂତ୍ର ରହିଛି, ସେଥିରୁ ଗୋଟିଏ ହେଉଛି ଅର୍ଥପ୍ରାପ୍ତି। ସଂସ୍କୃତ ବିଦ୍ଵାନ ମମ୍ମଟ୍ଟ କହନ୍ତି- କାବ୍ୟମ ଯଶସେ, ଅର୍ଥଂ କୃତେ, ବ୍ୟବହାର ବିଦେ। କାବ୍ୟ ରଚନାର ଉଦ୍ଦେଶ୍ୟ ହେଉଛି ଯଶ ଓ ଅର୍ଥ ପ୍ରାପ୍ତି। ତା ପରେ ଜଗତର କଲ୍ୟାଣ, ଲୋକ ବ୍ୟବହାର ର ମାର୍ଗ ଇତ୍ୟାଦି ଆହୁରି ଅନେକ କଥା ଅଛି। ତେବେ କାବ୍ୟ ବା ସାହିତ୍ୟ ରଚନାର ଏକ ବ୍ୟାବସାୟିକ ଦିଗ ବିଷୟରେ ଆମର ଲେଖକ କୁଳ ସବୁବେଳେ ସଚେତନ। ଜଗତର ବହୁ ପ୍ରଭାବଶାଳୀ ସାହିତ୍ୟର ଏକ ସଫଳ ପେଷାଦାର ପକ୍ଷ ରହି ଆସିଛି। ଦୁର୍ଭାଗ୍ୟ କ୍ରମେ ଆମର ସେ ପକ୍ଷଟି ବଡ ଦୁର୍ବଳ। ଆମର ଲେଖକମାନେ ପ୍ରାୟତଃ ଅଣପେଷାଦାର ଓ ସୌଖୀନ। ତେଣୁ ଲେଖିବା ଣ ଲେଖିବା ତାଙ୍କ ମନର ମର୍ଜି।

ଏମିତି ଏକ ପୃଷ୍ଟଭୂମିରେ ଆମର ସାହିତ୍ୟ ରଚନାର ଧାରା ବଡ ମନ୍ଥର। ଆମ ପୂର୍ବ ପ୍ରଜନ୍ମର ସଫଳ ଲେଖକମାନଙ୍କ ଲେଖାର ଗୁଣାତ୍ମକ ଓ ପରିମାଣାତ୍ମକ ବିପୁଳତା ରହିଥିଲା। ଗୋପୀନାଥ ମହାନ୍ତି, କାହ୍ନୁଚରଣଙ୍କଠୁ ଆରମ୍ଭ କରି ଚିତ୍ତରଞ୍ଜନ ଦାସ, ମନୋଜ ଦାସଙ୍କ ପର୍ୟନ୍ତ, ବିପୁଳ ସୃଷ୍ଟି ସଂଭାର ସର୍ଜନର ଏକ ଗୁରୁ ଦାୟିତ୍ଵ ଏମାନେ ନିର୍ବାହ କରିଛନ୍ତି। ଏମାନେ ସମସ୍ତେ ଲେଖାକୁ ନିଜର ଅଭ୍ୟାସ ଭାବରେ ନେଇଛନ୍ତି। ପ୍ରତିଦିନ କିଛି ଗୋଟାଏ ଯେ ଲେଖିବାକୁ ପଡିବ, ଏହା ସେମାନଙ୍କ ଜୀବନର ଅଂଶ ବିଶେଷ ପାଲଟି ଯାଇଥିଲା। ମୁଁ ଦେଖିଛି ଆଦରଣୀୟ ଚିତ୍ତ ଭାଇ (ବରେଣ୍ୟ ଚିନ୍ତକ ଚିତ୍ତରଞ୍ଜନ ଦାସ) ନାକରେ ଅମ୍ଳଜାନ ନଳୀ ଗେଞ୍ଜି ପରିଣତ ବୟସରେ କେମିତି ଦିନକୁ ୮୦-୧୦୦ ପୃଷ୍ଠା ଲେଖି ପକାଉଥିଲେ। ଲେଖିବା ଖାଲି ସଉକି ହେଲେ ହୁଏନାହିଁ, ଏହା ଏକପ୍ରକାର ସାଧନା। ଏଥିଲାଗି ଅଭ୍ୟାସ ଓ ପରିଶ୍ରମର ଆବଶ୍ୟକତା ରହିଛି। ଆମେ ସେ ଅଭ୍ୟାସ ଓ ପରିଶ୍ରମକୁ ଗୋଟେ ପ୍ରକାର ଅବାଞ୍ଛିତ ଉପାଦାନ ବୋଲି ଅଣଦେଖା କରି ଆସିଛୁ।

ଯେ ହେତୁ ଲେଖିବାର କୌଣସି ଚାପ ଆମ ଉପରେ ନାହିଁ, ଆମର ସାହିତ୍ୟ ବେଶ ଫୁଲା ଫାଙ୍କିଆ। ମନ ହେଲା ତ ଲେଖିଲୁ, ମନ ହେଲା ତ ଲେଖା ଛାଡି ଗୁଲିଖଟିରେ ମାତିଲୁ। ଆମର ଲେଖାରେ ସେଥିପାଇଁ “ମୁଡ” ର ପ୍ରାବଲ୍ୟ। ସେଠି ପ୍ରଚୁର ଭାବପ୍ରବଣତା। ଅଧ୍ୟୟନ, ଗବେଷଣା, କ୍ଷେତ୍ର ଅନୁଭବ ବା ଦୁଃସାହସକୁ ନେଇ ଆମର ସାହିତ୍ୟ ସେଇଥିପାଇଁ କମ। ଆମେ ସବୁ “ମୁଡି କବି’। କେବେ କେମିତି ଲେଖା ମାଡିଲେ ଲେଖି ଦେଉ। କେହି କେମିତି କିଛି କିଛି ପୁରଷ୍କାର ଓ ଉପାୟନ ଆମକୁ ଦେଇ ଦିଅନ୍ତି। ଆମ ସାହିତ୍ୟ ଜୀବନର ଯଶ ଓ ଅର୍ଥ ସେତିକିରେ ସୀମିତ। ଆମ ସାହିତ୍ୟର ବଜାର ଯେତିକି ସଙ୍କୁଚିତ, ସାହିତ୍ୟରେ ଭଲପାଇବା ସେତିକି ସଂକ୍ଷିପ୍ତ।

ସୌଖିନ ସାହିତ୍ୟରେ ଲେଖିବା ଯେତିକି ଫାସନେବଲ, ନ ଲେଖିବା ସେମିତି ବଡ ବିଳାସ। ମହାନ କଥାଶିଳ୍ପୀ ଫ୍ରାଞ୍ଜ କାଫକା ଭୂତଙ୍କ ପରି ଲେଖୁଥିଲେ। ତାଙ୍କ ଲେଖା ଏତେ ବେଶିଥିଲା ଯେ, ଲେଖୁ ଲେଖୁ ତାଙ୍କ ହାତ କେମ୍ପା ହୋଇଯାଉଥିଲା। ସେ ପୁଣି କେବେ କେବେ କହୁଥିଲେ, ଲେଖା ମୋ ମୁଣ୍ଡକୁ ଆସୁନାଇଁ , ମୁଁ ବଞ୍ଚିବି କେମିତି। ଆମେ କିନ୍ତୁ ଲେଖା ନ ଆସିଲେ, ବେଶୀ ଖୁସି।“ ମୁଁ କିଛି ଲେଖି ପାରୁନି ପରା” ବୋଲି କହିବାରେ ଆମର ବଡ ଆନନ୍ଦ।

ଏତେ କଥା କହିସାରିଲା ପରେ ଭାବନ୍ତୁ ନାଇଁ, ମୁଁ ବି କିଛି ତାଡି ପକାଉଛି ବୋଲି। ପାଞ୍ଚ ଶହ ଶବ୍ଦ ଟାଇପ କରୁ କରୁ ମୋ ହାତ ବିନ୍ଧିଲାଣି ଓ ମୁଁ ଅବିକା ଲେଖି ନ ପାରିବାର ବିଳାସକୁ ଭରପୂର ଉପଭୋଗ କରୁଛି!!
…………………
ଲେଖକ ଜଣେ ସାମ୍ବାଦିକ ଓ କଳା ସମାଲୋଚକ

Leave A Reply

Your email address will not be published.