ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୬ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଗିଲ ୧୨୯ ବଲରେ ୯ ଚୌକା ଓ ୨ ଛକା ସହାୟତାରେ ୧୦୧ ରନ କରିଥିଲେ । ଏହି ମ୍ୟାଚରେ ଗିଲ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଗିଲ ଭାରତ ପକ୍ଷରୁ ସବୁଠାରୁ କମ ଇନିଂସରେ ୮ ଶତକ ହାସଲ କରିବାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଗିଲ ମାତ୍ର ୫୧ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ଶିଖର ଧାୱନ ରହିଛନ୍ତି । ସେ ୫୭ ଇନିଂସରେ ୮ ଶତକ ମାରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି(୬୮), ଗୌତମ ଗମ୍ଭୀର(୯୮) ଓ ସଚିନ ତେନ୍ଦୁଲକର ୧୧୧ ଇନିଂସରେ ଏହି ସଫଳତା ହାସଲ କରିଥିଲେ । ଏହି ମ୍ୟାଚରେ ମହମ୍ମଦ ସାମୀ ୫ଟି ୱିକେଟ ହାସଲ କରି ସଫଳ ପ୍ରତ୍ୟାବର୍ତନ କରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଦୀର୍ଘ ଦିନ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳିପାରି ନ ଥିଲେ । ସବୁଠାରୁ କମ ବଲରେ ସାମୀ ୨୦୦ ୱିକେଟ ହାସଲ କରି ଭାରତୀୟଙ୍କ ମଧ୍ୟରେ ଶୀର୍ଷସ୍ଥାନରେ ରହିଛନ୍ତି ।
Comments are closed.