ଯାଜପୁର: ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ଏବେ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା । ଯାଜପୁର ଜିଲ୍ଲା କୋରାଇ ଥାନା ରଗଡ଼ି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ହୋଇଛି, ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ପରେ ଠକିଦେଲା ପ୍ରତାରକ ପ୍ରେମିକ । ନ୍ୟାୟ ଦାବିରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଯୁବତୀ ରଗଡ଼ିରେ ନିଜ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ।
ଅଭିଯୋଗ ଅନୁସାରେ, ରଗଡ଼ି ଗାଁର ରବୀନ୍ଦ୍ର ଆଚାର୍ଯ୍ୟଙ୍କ ପୁଅ ରଞ୍ଜନ କୁମାର ଆଚାର୍ଯ୍ୟ ଭୁବନେଶ୍ଵରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ସେଠାରେ କାମ କରୁଥିବା ବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ପୋଖରୀପୁଟ ଅଞ୍ଚଳର ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟ ଲିଭ୍ ଇନରେ ଗୋଟିଏ ଘରେ ରହୁଥିଲେ ।
ରଞ୍ଜନ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ । କିଛିଦିନ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଯୁବତୀଙ୍କୁ ଛାଡ଼ି ରଞ୍ଜନ ଅନ୍ୟତ୍ର ଚାଲିଯିବା ସହ ତାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ । ରଞ୍ଜନଙ୍କୁ ବିବାହ କରିବାକୁ ଦାବି କରିଛନ୍ତି ଯୁବତୀ ।
ପୂର୍ବରୁ ସେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଏନେଇ ସେ ରଞ୍ଜନଙ୍କ ବାପା ମାଆଙ୍କୁ ମଧ୍ୟ ଜଣାଇଥିଲେ । ସେମାନେ ବି ସମାଧାନ ପାଇଁ କୌଣସି ବାଟ ବାହାର କରିନଥିଲେ ।
ସବୁଆଡୁ ନିରାଶ ହେବା ପରେ ଗତକାଲି ସନ୍ଧ୍ୟାରୁ ରଞ୍ଜନଙ୍କ ଗାଁ ରଗଡ଼ିରେ ପହଞ୍ଚିଥିଲେ ଯୁବତୀ । ଘରେ କେହି ନଥିବାରୁ ଘର ଆଗରେ ଧାରଣାରେ ବସିଛନ୍ତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରୁଛି ।
Comments are closed.