Latest Odisha News

BREAKING NEWS

ଯୁକ୍ତ ୨ ପରୀକ୍ଷା ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ, କହିଲେ ସାପ କାମୁଡି ଦେଇଥିଲା

କେନ୍ଦୁଝର: ଜଣେ ଯୁକ୍ତ ୨ ଛାତ୍ରୀ ସାପ କାମୁଡ଼ାରେ ଆହତ ହୋଇ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଥିବାରୁ ଆଉ କାହାକୁ ସାପ କାମୁଡିବା କଥା ନଜଣାଇ ଶନିବାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିଲେ। ହେଲେ ଉତ୍ତର ଖାତାରେ ଲେଖିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଅସୁସ୍ଥ ହେବାର କାରଣ ଜଣାଇଥିଲେ। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଶନିବାର କେନ୍ଦୁଝର ଜିଲ୍ଲାରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଦଧିବାବାନପୁର ଗ୍ରାମର ଲିପ୍ସା ରାଣୀ ସାହୁ ନାମକ ଜଣେ ଛାତ୍ରୀ ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ତେବେ ଲିପ୍ସା କଲେଜକୁ ଯାଇ ପରୀକ୍ଷା ଦେବାକୁ ବସିଥିଲେ। ପରୀକ୍ଷା ଆରମ୍ଭର ମଝିରେ ସେ ଅସହଜ ଅନୁଭବ କରୁଥିବା ଅଭିଯୋଗ କରିଥିଲେ ବୋଲି ଜଣାପଡ଼ିଛି। ପରେ ଲିପ୍ସାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଲିପ୍ସା ପରୀକ୍ଷା ଦେବା ପାଇଁ ଯିବା ପୂର୍ବରୁ ଘର ପଛପଟକୁ ଯାଇଥିଲେ। ଏହି ସମୟରେ ଏକ କଳା ରଙ୍ଗର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତେବେ ସେ ପରୀକ୍ଷା ଦେବାକୁ ଯାଇଥିଲେ ଏବଂ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଛାତ୍ରୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ସୂଚନା ରହିଛି।

Comments are closed.