Latest Odisha News

BREAKING NEWS

ପରୀକ୍ଷା ହଲକୁ ପ୍ରବେଶ ପୂର୍ବରୁ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ

ଥିରୁଅନନ୍ତପୁରମ: ଏନଇଇଟି ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରୀଙ୍କ ସହ ଅଶାଳୀନ ବ୍ୟବହାର ଅଭିଯୋଗ । ପୋଲିସ ରୁଜୁ କଲା ମାମଲା। ପରୀକ୍ଷା ଦେଉଥିବା ଛାତ୍ରୀଙ୍କର ଚେକିଂ ନାଁରେ ତାଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। କେରଳର କୋଲାମର ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜିରେ ଥିବା ପରୀକ୍ଷା କେନ୍ଦ୍ରରେ ଏପରି ଏକ ଲଜ୍ଜାଜନକ କାମ ହୋଇଥିବା ଅଭିଯୋଗ ହୋଇଛି।

ଏ ନେଇ ଛାତ୍ରୀଙ୍କ ପରିବାର ସଦସ୍ୟ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି। ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ଏଭଳି ଘଟଣାକୁ ଅସ୍ୱୀକାର କରିଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଛାତ୍ରୀଙ୍କର ବାପା କହିଛନ୍ତି, “ମୋ ଝିଅକୁ କୁହାଯାଇଥିଲା ଯେ ମେଟାଲ ଡିଟେକ୍ଟରରେ ଅଣ୍ଡରଗାର୍ମେଣ୍ଟ (ଅନ୍ତବସ୍ତ୍ର) ହୁକ୍ ଚିହ୍ନଟ ହୋଇଛି । ତେଣୁ ସେହି ହୁକକୁ ଦେବାକୁ ହେବ। ପ୍ରାୟ 90% ଛାତ୍ରୀଙ୍କ ଅନ୍ତବସ୍ତ୍ରରେ ଥିବା ହୁକକୁ ଖୋଲିବାକୁ କୁହାଯାଇଥିଲା। ଆଉ ସେସବୁକୁ ଏକ ଷ୍ଟୋର ରୁମରେ ରଖିବାକୁ କୁହାଯାଇଥିଲା। ଏହିି କାରଣରୁ, ସେମାନେ ମାନସିକ ସ୍ତରରେ ବହୁତ ବିବ୍ରତ ହୋଇଯାଇଥିଲେ। ଜୁଲାଇ 17 ରେ ଏହି ଘଟଣା ଘଟିଥିବା କୁହାଯାଉଛି।

ସେପଟେ ଜଣେ ଏନଇଇଟି କର୍ମଚାରୀ ପରୀକ୍ଷାର୍ଥୀଙ୍କୁ କହିଥିଲେ ଯେ, ଆପଣଙ୍କ ପାଇଁ ଅନ୍ତବସ୍ତ୍ର ଜରୁରୀ ନା ନିଜ କ୍ୟାରିୟର ଜରୁରୀ। ଏପରି ଭାବେ ଜଣେ ପରୀକ୍ଷାର୍ଥୀଙ୍କୁ ଏନଇଇଟି କର୍ମଚାରୀ କହିଥିବା ଅଭିଯୋଗ ହୋଇଛି। ପୋଲିସ ଏବେ ଅଭିଯୋଗ ଆଧାରରେ ବୟାନ ରେକର୍ଡ କରିଛି । ଆବଶ୍ୟକ ପଡ଼ିଲେ ପୁଣି ଥରେ ଡାକି ପଚରାଉଚରା କରିପାରେ ।

ଉଲ୍ଲେଖଯୋଗ୍ୟ, ଏନଇଇଟି ପରୀକ୍ଷା କରାଉଥିବା ସଂସ୍ଥା ଏନଟିଏ ଅନ୍ତବସ୍ତ୍ର ପିନ୍ଧି ପରୀକ୍ଷା ଦିଆଯାଇପାରିବ ନାହିଁ ବୋଲି କୌଣସି ନିୟମ କରିନଥିବା ସୂଚନା ରହିଛି।

ସେହିପରି ଅନ୍ୟ ଏକ ମାମଲାରେ ହିଜାବ ପିନ୍ଧିଥିବା ଚାରିଜଣ ମୁସଲମାନ ଛାତ୍ରୀଙ୍କୁ ରାଜସ୍ଥାନର କୋଟାସ୍ଥିତ ମୋଦୀ କଲେଜର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସେମାନଙ୍କୁ ଫାଟକ ନିକଟରେ ପୋଲିସ ଅଟକାଇଥିଲା। ଝିଅମାନେ କିନ୍ତୁ ହିଜାବ ହଟାଇବାକୁ ମନା କରିଦେଇଥିଲେ। ଡ୍ରେସ କୋଡ ଦର୍ଶାଇ ପୋଲିସ ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଛାତ୍ରୀଙ୍କ ସହ ପରିବାର ସଦସ୍ୟ ଏଥିରେ ସହମତ ହୋଇନଥିଲେ। ଏହା ପରେ ସେମାନେ ଲିଖିତ ଭାବେ ଲେଖିଥିଲେ ଯେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ପାଇଁ ସେ ନିଜେ ଦାୟୀ ରହିବେ।

Leave A Reply

Your email address will not be published.