Latest Odisha News

[ଦେଖନ୍ତୁ ଭିଡିଓ] ଶ୍ରାବଣ ପ୍ରଥମ ସୋମବାର । ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ

ପୁରୀ :  ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ ।ଗତକାଲି ରାତିରୁ ହିଁ ଶ୍ରାବଣ ପ୍ରଥମ ସୋମବାର ଜଳଲାଗି ପାଇଁ ଭିଡ ଲାଗିଥିଲା।  ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ଗୋଟାଏରୁ ଜଳଲାଗି ଆରମ୍ଭ ହୋଇଥିଲା । ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ହେବା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ହୋଇଥିଲା । ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଶ୍ରୀଲୋକନାଥ ମନ୍ଦିର ରୋଷଦ୍ଵାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି ଓ ଦର୍ଶନ ପରେ ବଉଳ ଦ୍ଵାର ଦେଇ ବାହାରିଥିଲେ ।

ଦୀର୍ଘ ୨ ବର୍ଷ ପରେ ଭକ୍ତ ଓ ଭଗବାନଙ୍କର ହୋଇଛି ମିଳନ। କରୋନା ମହାମାରୀ ପାଇଁ ବୋଲବମ୍ ଭକ୍ତଙ୍କ ନିମନ୍ତେ କଟକଣା ଲାଗି ରହିଥିଲା। କଟକଣା ଉଠିବା ପରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ହିଁ କାଉଡିଆଙ୍କ ଭିଡ଼ ଦେଖାଯାଇଥିଲା।ଶ୍ରାବଣ ମାସର ଚାରି ସୋମବାରରେ ଜଳଲାଗି କଲେ ସକଳ ଦୁରାରୋଗ୍ୟ ଦୂର ହେବା ସହ ମନୋସ୍କାମନା ପୂରଣ ହେଉଥିବାର ବିଶ୍ୱାସ ରହିଛି।

ପ୍ରଥମ ପାଳି ଜଳଲାଗି ପାଇଁ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି କରିଛନ୍ତି। ବୋଲବମ୍ ଭକ୍ତଙ୍କ ନିମନ୍ତେ ଜଳଲାଗି ପାଇଁ ଟିକେଟ ମୂଲ୍ୟ ୨୦ ଟଙ୍କା ରହିଥିଲା। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଅତରିକ୍ତ ଏସପି କହିଛନ୍ତି  ।

ସାଧାରଣ ଭକ୍ତ ପୂର୍ବ ପରି ଶ୍ରୀଲୋକନାଥ ମନ୍ଦିର ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରି ପାର୍ବତୀ ସାଗରରେ ଧୁଆଧୋଇ ହୋଇ ଶ୍ରୀଲୋକନାଥଙ୍କ ଦର୍ଶନ କରିବା ସହ କାଉଡିଆ ମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିଥିଲେ । ଦ୍ଵିତୀୟ ଓ ତୃତୀୟ ପାଳିରେ ଅସମ୍ଭବ ଭିଡ଼ ହେବା ଆଶା କରାଯାଉଛି।

 

 

 

 

Leave A Reply

Your email address will not be published.