Latest Odisha News

ଗିଭ୍ ଆଣ୍ଡ୍ ଟେକ୍ ପଲିଟିକ୍ସ ଓ ବିଜେପିର ନୀତିଶ ସିଣ୍ଡ୍ରୋମ୍

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୋଧହୁଏ ଦେଶର ଏକମାତ୍ର ରାଜନେତା, ଯାହାଙ୍କ ପରବର୍ତ୍ତୀ ରାଜନୈତିକ ଚାଲ୍ କ’ଣ ରହିବ, ତାହା ବିଶ୍ୱାସର ସହ କହିବା ମୁସ୍କିଲ । କାରଣ ନିଜ ସୁବିଧା ପାଇଁ କେତେବେଳେ ରଙ୍ଗ ବଦାଳାଇବାକୁ ହେବ, ତାହା ନୀତିଶ କୁମାରଙ୍କୁ ଭଲ ଭାବେ ଜଣା । କେତେବେଳେ ସେ ବିଜେପି ସହ ତ ଆଉ କେତେବେଳ ବିରୋଧୀ ମେଂଟ ସହ ନଜର ଆସନ୍ତି। ବାରମ୍ବାର ପଟ୍ଟ ପରିବର୍ତ୍ତନରେ ଉସ୍ତାଦ ନୀତିଶଙ୍କୁ ପଲଟୁରାମ ବୋଲି ବି କୁହାଯାଏ । ଏଥର ନୀତିଶ କେନ୍ଦ୍ରରେ ପୁଣି ଏନଡିଏରେ ସାମିଲ ହୋଇଛନ୍ତି । ମୋଦି ସରକାରଙ୍କ ପାଇଁ ନୀତିଶଙ୍କ ସମର୍ଥନ ନିହାତି ଦରକାର । ନୀତିଶ ଏଥର ଏନଡିଏ ସହ ହିଁ ରହିବେ ବୋଲି ଲୋକସଭା ନିର୍ବାଚନ ପରେ ଘୋଷଣା କରିଥିଲେ । କିନ୍ତୁ ନୀତିଶ ଯେ, ପୁଣି ପଟ୍ଟ ପରିବର୍ତ୍ତନ ନକରିବେ, ତାର କୌଣସି ଗ୍ୟାରେଂଟି ନାହିଁ । ବିଜେପି ବି ଭଲଭାବେ ଏକଥା ଜାଣିଛି। କିନ୍ତୁ ବିହାର ରାଜନୀତିରେ ନୀତିଶଙ୍କୁ ଉପେକ୍ଷା କରିବା ପାଇଁ କାହାର ଦୁଃସାହସ ନାହିଁ । ଏକଥା ବି ଭଲଭାବେ ଜାଣେ ବିଜେପି ।

ରାଜନୀତି ସମୀକ୍ଷକଙ୍କ ମତରେ ନୀତିଶ କୁମାର କେନ୍ଦ୍ରରେ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେଇ ବଦଳରେ ବିହାରରେ ତାଙ୍କ ପ୍ରତି ବିଜେପିର ପୂରା ସମର୍ଥନ ଚାହୁଁଛନ୍ତି । ରାଜ୍ୟରେ ବିଜେପି ସହ ଜେଡିୟୁର ମେଣ୍ଟ ସରକାର ଚାଲିଥିଲେ ବି ବିହାରରେ ସେ ଖୋଲାହାତ ଚାହାନ୍ତି । ସେଥିପାଇଁ କେନ୍ଦ୍ର ଏନଡିଏ ମନ୍ତ୍ରିମଣ୍ଡଳରେ ସାମିଲ ଜେଡିୟୁର ଦୁଇ ସଦସ୍ୟଙ୍କୁ ଭଲ ବିଭାଗ ମିଳିନଥିଲେ ବି ଆପତ୍ତି କରିନାହାନ୍ତି ନୀତିଶ। ବିହାର ରାଜନୀତିରେ ବିଜେପିର କୌଣସି ଚାପରେ ରହିବାକୁ ନୀତିଶ ଚାହାନ୍ତି ନାହିଁ ବୋଲି ସଂକେତ ଦେଇଛନ୍ତି । ବିହାର ବିଧାନସଭାରେ ବିଜେପିର ସଂଖ୍ୟା,ଜେଡିୟୁଠାରୁ ଅଧିକ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ବିଜେପି ନିଜ ଦମରେ ନିର୍ବାଚନୀ ସଫଳତା ହାସଲ କରିପାରିବା ସ୍ଥିତିରେ ନାହିଁ। ଆଗରୁ ବି ଏହା ପ୍ରମାଣିତ ହୋଇଛି । ୨୦୧୫ ବିଧାନସଭା ନିର୍ବାଚନରେ ନୀତିଶଙ୍କ ଜେଡିୟୁ ଓ ଲାଲୁ ଯାଦବଙ୍କ ଆରଜେଡି ମିଳିତ ଭାବେ ନିର୍ବାଚନ ଲଢିଥିଲେ । ସେତେବେଳେ ବିଜେପି ଖାତାକୁ ମାତ୍ର ୪୫ ଆସନ ଯାଇଥିଲା। ତେଣୁ ବିଜେପି ନୀତିଶଙ୍କ ହାତ ଛାଡିବାକୁ ଚାହିଁବନି। ତେବେ, ନୀତିଶଙ୍କୁ ଆଖି ବୁଜି ବିଶ୍ୱାସ କଲେ ବି ବିପଦ । କାରଣ ୨୦୨୦ରେ ନୀତିଶଙ୍କ ଜେଡିୟୁ ବିଜେପି ସହ ମିଶି  ବିଧାନସଭା ନିର୍ବାଚନ ଲଢିଥିଲେ ମଧ୍ୟ ପରେ ଲାଲୁଙ୍କ ଆରଜେଡି ସହ ହାତ ମିଳାଇଥିଲେ ।

ବିହାରରେ ଏଥର ଲୋକସଭା ନିର୍ବାଚନରେ ବିଜେପି-ଜେଡିୟୁ ମେଂଟ ୩୧ ଆସନ ଜିତିଥିବା ବେଳେ ଜେଡିୟୁ ଖାତାକୁ ଯାଇଛି ୧୨ଟି ସିଟ୍ । ମେଂଟ ସପକ୍ଷରେ ମାହୋଲ ଥିବାରୁ ରାଜ୍ୟରେ ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି ନୀତିଶ । ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଶେଷ ପାଇଁ ବର୍ଷେରୁ ଅଧିକ ସମୟ ରହିଛି। ତେଣୁ ନୀତିଶ ବିହାର ପାଇଁ ବିଶେଷ ଆର୍ଥକ ପ୍ୟାକେଜ ଦାବି କରିଛନ୍ତି । ଏଥିସହ ପୂର୍ବର ମହାମେଂଟ ସରକାର ଅମଳରେ ପଛୁଆ ବର୍ଗଙ୍କ ଲାଗି ୬୫ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଦ୍ଦ ପାଇଁ ପାଟଣା ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ନୀତିଶଙ୍କ ବିଶ୍ୱାସ ଯେ, ରାଜ୍ୟରେ ଆଗୁଆ ନିର୍ବାଚନ ହେବ ଓ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ବିଜେପି ଏଥିରେ ରାଜି ହେବ ତ?

Leave A Reply

Your email address will not be published.