ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସ ଚିନ୍ତା ବଢ଼ିଛି । ଦଳର ଷ୍ଟାର ବିଦେଶୀ ଖେଳାଳି ଗ୍ଲେନ ଫିଲିପ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଆଘାତ ସମସ୍ୟା ଯୋଗୁ ଫିଲିପ୍ସ ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ଅବଶ୍ୟ ସେ ଚଳିତ ସଂସ୍କରଣରେ ଗୋଟିଏ ମ୍ୟାଚରେ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଫିଲ୍ଡିଂ କରୁଥିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ । ସାଥୀ ଖେଳାଳିଙ୍କ ସହ ପଡିଆ ବାହାରକୁ ଯାଇଥିଲେ । ଏହା ପରେ ସେ ଅଭ୍ୟାସ ସେଶନରେ ମଧ୍ୟ ଯୋଗ ଦେଇ ନ ଥିଲେ ।
ପୂର୍ବରୁ ଦକ୍ଷିଣ ଆଫ୍ରିକାର ଷ୍ଟାର ପେସର କାଗିସୋ ରାବାଡା ସ୍ୱଦେଶ ପ୍ରତ୍ୟାବର୍ତନ କରି ସାରିଛନ୍ତି । ସେ କେବେ ଦଳ ସହିତ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନି । ଏବେ ଗୁଜରାଟ ନିକଟରେ ମାତ୍ର ୫ଟି ବିଦେଶୀ ଖେଳାଳି ରହିଛନ୍ତି । ସେମାନେ ହେଲେ ଜୋସ ବଟଲର, ଶେରଫେନ ରଥରଫୋର୍ଡ, ରଶିଦ ଖାଁ, ଗେରାଲ୍ଡ କୋଏଟଜୀ ଓ କରୀମ ଜନତ । ଗୁଜରାଟ ୫ଟି ମ୍ୟାଚରେ ୪ରେ ବିଜୟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି ।
Comments are closed.