Latest Odisha News

BREAKING NEWS

ଟଳିଲା ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡ: ଆସନ୍ତାକାଲି ଫାଶୀ ଦଣ୍ଡରେ ଦଣ୍ଡିତ କରିଥାନ୍ତେ ସରକାର

ନୂଆଦିଲ୍ଲୀ: ହତ୍ୟା ପାଇଁ ୟେମେନରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଏବେ ଆଶ୍ୱସ୍ତି ଖବର ଆସିଛି। ଆସନ୍ତାକାଲି କେରଳର ନର୍ସ ନିମିଷା ପ୍ରିୟାଙ୍କୁ ଫାଶୀ ଦଣ୍ଡ ଦିଆଯିବ ନାହିଁ। ୟେମେନ ସରକାର ଘୋଷଣା କରିଛନ୍ତି ଯେ ବୁଧବାର ଦିନ ହେବାକୁ ଥିବା ଫାଶୀଦଣ୍ଡକୁ ଏବେ ସ୍ଥଗିତ ରଖାଯାଇଛି। କେରଳର ପଲକ୍କଦ ଜିଲ୍ଲାର ନିମିଷା ପ୍ରିୟା ୟେମେନର ଜଣେ ବ୍ୟକ୍ତିଙ୍କ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସୂତ୍ର ଅନୁସାରେ, ନିମିଷାଙ୍କୁ ଦଣ୍ଡରୁ ରକ୍ଷା କରିବା ପାଇଁ ଗୋଟିଏ ରାସ୍ତା ଥିଲା। ଯାହାକି ହତ୍ୟା ହୋଇଥିବା ବ୍ୟକ୍ତି ଜଣଙ୍କ ପରିବାର ସହାୟତା ନେବାକୁ ରାଜି ହେବା। ଦୀର୍ଘ ଦିନ ଧରି ଉକ୍ତ ପରିବାର ରାଜି ହୋଇନଥିଲେ, କିନ୍ତୁ ଏବେ ହତ୍ୟାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସହାୟତା ନେବାକୁ ରାଜି ହୋଇଛନ୍ତି।

ସେପଟେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଭାରତ ସରକାର ଆରମ୍ଭରୁ ନିମିଷାଙ୍କୁ ରକ୍ଷା କରିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଥିଲେ। ଭାରତ ସରକାର ଲଗାତର ଭାବେ ସ୍ଥାନୀୟ ଜେଲର ଅଧିକାରୀଙ୍କ ସହ ଯୋଗାଯୋଗ ରଖିଛନ୍ତି। ଯେଉଁ କାରଣରୁ ୟେମେନ ସରକାର ଫାଶୀଦଣ୍ଡକୁ ସ୍ଥଗିତ ରଖିଛନ୍ତି।

ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ ନିମିଷାଙ୍କୁ ମୁକ୍ତ କରିବାକୁ କେରଳ କାନ୍ତପୁରମର ପ୍ରଭାବଶାଳୀ ସୁନ୍ନି ମୁସଲିମ୍ ନେତା ଏପି ଅବୁବକ୍ର ମୁସାଲିୟାର ୟେମନର ସୁଫି ବିଦ୍ୱାନଙ୍କ ସହ ଏନେଇ ଯୋଗାଯୋଗ ଚଳାଇଛନ୍ତି । ଏହି କ୍ରମରେ ୟେମେନର ପ୍ରଭାବଶାଳୀ ମୁସଲିମ୍ ନେତାମାନେ ପୀଡ଼ିତ ପରିବାର ସହ ଯୋଗାଯୋଗ କରିଥିଲେ। ଏହାପରେ ପୀଡ଼ିତ ପରିବାର ସହାୟତା ନେବାକୁ ରାଜି ହୋଇଛନ୍ତି। ଫଳରେ ୟେମେନ ସରକାର ଫାଶୀଦଣ୍ଡକୁ ସ୍ଥଗିତ ରଖିଛନ୍ତି।

କେରଳର ପଲକ୍କଦ ଜିଲ୍ଲାର କୋଲେନଗୋଡେର ଝିଅ ନିମିଷା ପେଶାରେ ଜଣେ ନର୍ସ ଥିଲେ। ନିମିଷା ପ୍ରିୟାଙ୍କୁ, ୨୦୧୭ ମସିହାରେ ଜଣେ ୟେମେନୀ ନାଗରିକଙ୍କୁ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଛି। ଯିଏ ତାଙ୍କୁ ନିର୍ଯାତନା ଏବଂ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ୟେମେନୀ ନାଗରିକଙ୍କ କବଜାରୁ ତାଙ୍କ ପାସପୋର୍ଟ ଫେରାଇ ଆଣିବା ପାଇଁ, ନିମିଷା ୟେମେନୀ ପୁରୁଷଙ୍କୁ ବେହୋସ କରିବାକୁ ଚେଷ୍ଟା କରିଥିଲେ, ହେଲେ ଡ୍ରଗ୍ସ ଓଭରଡୋଜ୍ ଯୋଗୁଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସେଠାକାର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ନିମିଷା ପ୍ରିୟାଙ୍କୁ ଜୁଲାଇ ୧୬ ରେ ଫାଶି ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା।

Comments are closed.