Latest Odisha News

BREAKING NEWS

ଆସନ୍ତା ଜାନୁଆରୀ ୬ରୁ ୨୫ତମ ଗ୍ଲୋରି ଫେଷ୍ଟ ଆରମ୍ଭ

ପୁରୀ: ପୁରୀର ଯୁବ ସାଂସ୍କୃତିକ ଅନୁଷ୍ଠାନ ‘ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର’ ପକ୍ଷରୁ ଆସନ୍ତା ଜାନୁଆରୀ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୨୫ତମ ଗ୍ଲୋରି ଫେଷ୍ଟ-୨୦୨୦ ଆୟୋଜିତ କରାଯାଉଛି ।

ଏହି ସମାରୋହରେ ଯୋଗଦାନ ଲାଗି ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୧ହଜାର ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି ।

ଉକ୍ତ ସମାରୋହରେ ପାଖାପାଖି ୨୫ଟି ପ୍ରତିଯୋଗିତା ରହିଛି । ଏହାବ୍ୟତିତ ଆସନ୍ତା ୬ତାରିଖ ତଥା ଉଦଘାଟନୀ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଏକ ର‌୍ୟାଲି ଶ୍ରୀମନ୍ଦିରରୁ ବାହାରି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହାକୁ ଉଦଘାଟନ କରିବେ ।

୭ଦିନ ବ୍ୟାପୀ ହେବାକୁ ଥିବା ଏହି ସମାରୋହରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୁର୍ଖ୍ୟାତ ନିସଙ୍ଗ, ଝାଡଖଣ୍ଡ ରାଜ୍ୟପାଳ ଦୌର୍ପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ, ସାଂସଦ ପିନାକୀ ମିଶ୍ର, ସଞ୍ଜୟ ଦାଶ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହାବ୍ୟତିତ ଏହାର ଉଦଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଙ୍ଗ ପଟେଲ, କେନ୍ଦ୍ରମନ୍ତ୍ରୀ ବାବୁ ସୁପ୍ରିଓ, ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏଥିସହିତ ବଲିଉଡ ଓ ଓଲିଉଡର ବିଭିନ୍ନ ପ୍ରଚ୍ଛଦପଟ୍ଟ ଗାୟକ, ଅଭିନେତା ଓ ଅଭିନେତ୍ରୀ ପ୍ରମୁଖ ମଧ୍ୟ ସାମିଲ ହେବେ ।

ନିକଟ ଅତୀତରେ ଏକ ପ୍ରସ୍ତୁତି ବୈଠକ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କମିଟିର ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.