Latest Odisha News

BREAKING NEWS

ସୁବର୍ଣ୍ଣପୁରରେ ଗୋ ଶ୍ରଦ୍ଧା ଅଭିଯାନ ଆରମ୍ଭ

ସୋନପୁର: ସୁବର୍ଣ୍ଣପୁର ପୌରାଞ୍ଚଳରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ନେଇ ଆରମ୍ଭ ହୋଇଛି ଗୋ ଶ୍ରଦ୍ଧା ଅଭିଯାନ।

ସୁବର୍ଣ୍ଣପୁର ସହରର ଦେଇ ଯାଇଛି ୫୭ନମ୍ବର ଜାତୀୟ ରାଜପଥ। ଏହି ରାସ୍ତାରେ ସବୁବେଳେ ଛୋଟ ବଡ଼ ଗାଡ଼ି ଓ ଭାରୀଯାନ ଯାଇଥାଏ। ମାତ୍ର ବୁଲା ଗାଈଗୋରୁଙ୍କ ଦ୍ୱାରା ଟ୍ରାଫିକ ଜାମ ହେବା ସହ ନାହିଁ ନଥିବା ଭିଡ଼ ଲାଗିରହିଥାଏ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗାଈ,ଗୋରୁଙ୍କୁ ସହରବାସୀ ରାସ୍ତାକୁ ଛାଡ଼ି ଦେଉଥିବାରୁ ରାସ୍ତାରେ ଏହି ସମସ୍ୟା ଦେଖାଦେଉଛି। ବାରମ୍ବାର ଦାବି ହେବା ପରେ ଚେତିଛି ଜିଲ୍ଲା ପ୍ରଶାସନ।

ଏହି ଅଭିଯାନରେ ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନକୁ ସାମିଲ କରାଯାଇଛି। ଗାଈ ମାଲିକ ରାସ୍ତାକୁ ଗାଈ ଛାଡ଼ିଲେ ତାଙ୍କୁ ଜୋରିମାନା କରାଯିବ ବୋଲି ପୌର ପ୍ରଶାସନ କହିଛି। ବୁଲା ଗାଈ,ଗୋରୁଙ୍କୁ ନିକଟ କାଞ୍ଜିଆ ହୁଦାରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଗତ କିଛି ଦିନ ତଳେ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ସହରର ଅନେକ ସାହିରୁ ଗାଈଗୋରୁଙ୍କୁ ନିଆଯାଇ କୁଲପଡ଼ାରେ କରାଯାଇଥିବା କାଞ୍ଜିଆ ହୁଦାରେ ରଖାଯାଇଛି।ହେଲେ ସେଠାରେ ସଠିକ୍ଭାବେ ଖାଇବାକୁ ଦିଆଯାଉନଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ତେବେ ସହରବାସୀ ଏହି ନିୟମକୁ ମାନିଲେ ଟ୍ରାଫିକ୍ ସମସ୍ୟା ସୁଧୁରିବା ସହ ପ୍ରଶାସନ ଗାଈମାଙ୍କ ସେବାଯତ୍ନ ଭଲଭାବେ କରିବା ପାଇଁ ଦାବି କରିଛନ୍ତି ସ୍ୱେଚ୍ଛାସେବୀ ସଙ୍ଗଠନ।

Leave A Reply

Your email address will not be published.