Latest Odisha News

BREAKING NEWS

‘ଗୋବିନ୍ଦ ସାହୁ ଆତ୍ମହତ୍ୟା ବିଜେଡିର ସାକ୍ଷୀ ସଫେଇ ଅଭିଯାନ’, ବିଜେଡି ବିଧାୟକ କହିଲେ ଆଇନ୍ ତା ବାଟରେ ଯାଉଛି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି। ବୁଧବାର ବିରୋଧୀ ବିଜେପି  ଓ କଂଗ୍ରେସ ଏପରି ଅଭିଯୋଗ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏକ ଷଡୟନ୍ତ୍ର ବୋଲି ମନେ ହେଉଛି। ଯାହାକୁ ଶାସକ ବିଜୁ ଜନତା ଦଳର ସାକ୍ଷୀ ସଫେଇ ଅଭିଯାନର ଏକ ଅଂଶବିଶେଷ ବୋଲି କୁହାଯାଇପାରେ ବୋଲି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥବୀରାଜ ହରିଚନ୍ଦନ କହିଛନ୍ତି। ଓଡ଼ିଶା ସରକାରଙ୍କ ମନ୍ତ୍ରୀମାନେ ବେଆଇନ କାମରେ ଲିପ୍ତ ହେବା ଏବଂ ଧରାପଡ଼ିବା ପରେ ସାକ୍ଷୀମାନଙ୍କୁ ମୁକୁଳାଇବା ଏକ ନିୟମିତ ଘଟଣା ଭଳି ମନେ ହେଉଛି। ଏଭଳି ଏକ ଅଭିଯାନର ଏକ ତାଜା ଉଦାହରଣ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ବୋଲି ସେ କହିଛନ୍ତି। ଗୋବିନ୍ଦ ସାହୁଙ୍କ ହତ୍ୟାକାଣ୍ଡକୁ ଓଡ଼ିଶା ସରକାର ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାର ତଦନ୍ତ ସିବିଆଇ କରୁ। ଏବଂ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର କେନ୍ଦ୍ରକୁ ଅନୁରୋଧ କରନ୍ତୁ ବୋଲି ହରିଚନ୍ଦନ ଦାବି କରିଛନ୍ତି।

ରାଜ୍ୟ ସରକାରଙ୍କ ସାକ୍ଷୀ ସଫା ଅଭିଯାନର ଆଉ ଏକ ଫର୍ଦ୍ଦ ହେଲା ମାହାଂଗା ଡବଲ ମର୍ଡ଼ର ଘଟଣା। ସମାନ ଢଙ୍ଗରେ ଫେରାର ଆସାମୀଙ୍କୁ ଟ୍ରକ ଚଢାଇ ହତ୍ୟା ହେଲା କିନ୍ତୁ ରାଜ୍ୟ ସରକାର ଏହାକୁ ପୋଲିସ ଦୁର୍ଘଟଣା ବୋଲି କହିଥିଲେ। ଠିକ୍ ସେମିତି ଗୋପ ଜିଲ୍ଳା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୃତ୍ୟୁ ରହସ୍ୟ ଚାପି ଦିଆଯାଇ ପ୍ରମାଣ ନଷ୍ଟ କରାଯାଇଛି। ବେବିନା ଠାରୁ ଆରମ୍ଭ ହୋଇ ପରୀ ପର୍ଯ୍ୟନ୍ତ ତଦନ୍ତ ଶୀତଳ ଭଣ୍ଡାରରେ ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଉ ଜାଣତରେ ଏହି ସାକ୍ଷୀ ସଫେଇ ଅଭିଯାନ ଚାଲିଛି ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରସ। କଣ୍ଟାବାଞ୍ଜି ବିଧାୟକ ତଥା ସନ୍ତୋଷ ସିଂହ ସାଲୁଜା କହିଛନ୍ତି,ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି ବୋଲି ମନେ ହେଉଛି। ଏପରିକି ତାଙ୍କ ପତ୍ନୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସବୁ ମନ୍ତ୍ରୀ, ବିଧାୟକ ଏପରିକି ଆଇଏଏସ୍ ଓ ଆଇପିଏସ୍ ଅଫିସର ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଅଛନ୍ତି। ଏବଂ ସରକାର ସେମାନଙ୍କୁ ରକ୍ଷା କରିବା ପାଇଁ ସାକ୍ଷୀମାନଙ୍କୁ ହତ୍ୟା କରୁଛନ୍ତି। ଗୋବିନ୍ଦ ସାହୁଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେଉ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ହେଉ ବୋଲି ସାଲୁଜା ଦାବି କରିଛନ୍ତି। ଅର୍ଚ୍ଚନା ନାଗ, ମାହାଙ୍ଗା ଡବଲ ମର୍ଡର ଓ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ବିତର୍କକୁ ଆଣି ସାଲୁଜା କହିଛନ୍ତି, ସାକ୍ଷୀମାନେ ସାବଧାନ ରୁହନ୍ତୁ। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏପରିକି ଅର୍ଚ୍ଚନା ନାଗ ମଧ୍ୟ ଏବେ ସୁରକ୍ଷିତ ନୁହଁନ୍ତି।

ସେହିପରି ବିରୋଧୀଙ୍କ ପ୍ରଶ୍ନ ଉପରେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଆଇନ୍ ତା ବାଟରେ ଯାଉଛି। ଯିଏ ଦୋଷୀ ହୋଇଥିବ ତା ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ। ଜେଲ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନବୀନ ପଟ୍ଟନାୟକଙ୍କ ଶାସନର ସ୍ଵଚ୍ଛତା ରହିଛି।

 

 

 

Comments are closed.