Latest Odisha News

BREAKING NEWS

ଗୋବିନ୍ଦଙ୍କ ପାଇଁ ଧୂଳିସାତ୍ ହେବ କି ଦିବ୍ୟଶଙ୍କରଙ୍କ ରାଜନୈତିକ ଭବିଷ୍ଯତ ?

ଭୁବନେଶ୍ୱର: ମମିତାଙ୍କ ପାଇଁ ସମ୍ଭବତଃ ଯାଇଥିଲା ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ । ଗୋବିନ୍ଦ ସାହୁଙ୍କ ପାଇଁ ଅଡ଼ୁଆରେ ତାଙ୍କର ରାଜନୈତିକ ଭବିଷ୍ୟତ ? ମମିତା ମେହେର ହତ୍ୟାକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିବା ପରେ ଅନେକ ପ୍ରଶ୍ନ ଉଠୁଛି । ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ସୁଚିନ୍ତିତ ଭାବେ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ସେ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଗୋବିନ୍ଦଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଚର୍ଚ୍ଚା, ଆଲୋଚନା, ସମାଲୋଚନା ଭିତରେ ଦିବ୍ୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନବାଚୀ । ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରୁ ବିଦା ହୋଇଥିଲେ ଦିବ୍ୟଶଙ୍କର ମିଶ୍ର । ଏବେ କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ପୁଣି ଦିବ୍ୟ ଶଙ୍କର ମିଶ୍ରଙ୍କୁ ବିରୋଧୀ କାଠଗଡ଼ାକୁ ଟାଣିଛନ୍ତି । ଅଭିଯୋଗ କରିଛନ୍ତି, କାଳେ ଗୋବିନ୍ଦ ବିଜେଡି ନେତାଙ୍କ ନାଁ ନେଇଯିବେ ସେଥିପାଇଁ ଜେଲରେ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ।

ତେବେ ବିରୋଧୀଙ୍କ ଅଭିଯୋଗ ନେଇ ଦିବ୍ୟ ଶଙ୍କର ମିଶ୍ର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଓଡ଼ିଶା ସମ୍ବାଦ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେ ଆମ ପ୍ରଶ୍ନର ଉତ୍ତର ଦେଇ ନଥିଲେ ।

ତାଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଦିବ୍ୟ ଶଙ୍କରଙ୍କ ଲୋକପ୍ରିୟତା କମୁଥିବା ଚର୍ଚ୍ଚା ହେଉଛି । ଜୁନାଗଡ଼ ଆସନରୁ ଦିବ୍ୟ ଶଙ୍କର ମିଶ୍ର ବିଧାୟକ ଥିବା ସତ୍ତ୍ୱେ ବିରୋଧୀ ବିଜେପି ଚଳିତ ବର୍ଷ ପୌର ନିର୍ବାଚନରେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ପଦ ହାତେଇ ନେଇଥିଲା । ଖସୁଥିବା ଲୋକପ୍ରିୟତା, ବଦଳୁଥିବା ସମୟରେ ଜୁନାଗଡ଼ବାସୀ ୨୦୨୪ରେ ଦିବ୍ୟ ଶଙ୍କରଙ୍କୁ ବିଶ୍ୱାସକୁ ନେବ ତ ? ନବୀନ ପୁଣି ଦିବ୍ୟଙ୍କୁ ଭରସା କରି ଦେବେ କି ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ୍ ? ଏସବୁକୁ ନେଇ କଳାହାଣ୍ଡି କମ୍ପୁଥିବା ବେଳେ ବିରୋଧୀ ଦିବ୍ୟ ଅସ୍ତ୍ର ଖୋଜୁଛନ୍ତି ।

Leave A Reply

Your email address will not be published.