Latest Odisha News

BREAKING NEWS

୪୨ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡ଼ିଶା ପାଭିଲିୟନ୍ କୁ ସ୍ଵର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଛି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏଥିରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନର ପରିସରରେରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନରର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି ବୋଲି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ପକ୍ଷରୁ ଗତକାଲି ସୂଚନା ମିଳିଥିଲା । ଏହାପରେ, ଓଡ଼ିଶା ପାଭିଲିୟନରେ ଖୁସିର ଲହରୀ ଖେଳିଯାଇଥିଲା । ପରେ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବା ସହ ଅନ୍ୟ ରାଜ୍ୟ ପାଭିଲିୟନ୍ ଗୁଡିକ ମଧ୍ୟ ଓଡ଼ିଶା ପାଭିଲିୟନକୁ ଆସି ସେମାନଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରଜତ ଅଗ୍ରୱାଲ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ପ୍ରକଳ୍ପ) ମଥୁରା ପ୍ରସାଦଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ ଏବଂ ବାଣିଜ୍ୟ ମେଳା ପାଇଁ ନିୟୋଜିତ ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଚଳିତ ବର୍ଷର ବିଷୟବସ୍ତୁ “ବସୁଧୈବ କୁଟୁମ୍ବକମ୍, ୟୁନାଇଟେଡ୍ ବାଇ ଟ୍ରେଡ୍” ଆଧାରରେ ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରା ଏବଂ ଉତ୍କଳୀୟ କଳାକୃତିକୁ ପ୍ରଗତି ମୈଦାନର ୨ ନମ୍ବର ହଲରେ ଜୀବନ୍ତ ଭାବେ ପ୍ରଦର୍ଶିତ କରିଥିବା ଓଡ଼ିଶା ପାଭିଲିୟନ ପ୍ରଥମ ଦିନରୁ ହିଁ ଦର୍ଶକମାନଙ୍କ ଅହେତୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଓରମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ-କ୍ଷୁଦ୍ର-ମାଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଆଦି ୮ଟି ବିଭାଗ/ସହଯୋଗୀ ସଂସ୍ଥାମାନଙ୍କର ୨୪ ଟି ଷ୍ଟଲ ସ୍ଥାନ ପାଇଥିଲା । ନୌକାର ଡେକ ଓ ଷ୍ଟଲ ଉଭୟରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ଵାରା ଉତ୍ପାଦିତ କରୁଣା ରେଶମ ବସ୍ତ୍ର ଏବଂ ସମ୍ବଲପୁରୀ, ଟସର, ଡ଼ଙ୍ଗରିଆ ଜନଜାତି ଶାଲ ଓ କୋଟପାଡ ହସ୍ତତନ୍ତ ଲୁଗା ସମେତ ଧାନ, କାଷ୍ଠ, ପ୍ରସ୍ତର, ସବାଇ ଘାସ, କାଇଞ୍ଚ, ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଏବଂ ଲାଞ୍ଜିଆ ସଉରା ଚିତ୍ର କଳା, ରଘୁରାଜପୁର ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ସହିତ ମିଲେଟ ଜାତୀୟ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପଲବ୍ଧ ମିଳୁଥିଲା ।

ଗତ ୧୪ ତାରିଖରେ ଓଡିଶାର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୁଦୃଶ୍ୟ ଓଡ଼ିଶା ପାଭିଲିୟନକୁ ଉଦଘାଟନ କରିଥିଲେ । ଗତ ୧୯ ତାରିଖରେ ପ୍ରଗତି ମୈଦାନର ଆମ୍ଫି ଥିଏଟରରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସ ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସ୍ଵତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା । ପରେ ପରେ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ଵାରା ଓଡିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ, ବରଗଡ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଡାଲଖାଇ ନୃତ୍ୟ ସହିତ ଦେଶ ବିଦେଶରେ ହରହର ଶମ୍ଭୁ ଗୀତକୁ ନେଇ ଚର୍ଚ୍ଚିତ ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ ।

ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ୫ ଲକ୍ଷ ଲୋକ ଆସିଥିବା ବେଳେ ପାଖାପାଖି ୭୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହୋଇଥିଲା । ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗ ତଥା ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ ଆୟୁକ୍ତ ରବିକାନ୍ତ, ଉପାୟୁକ୍ତ ସୁଧାଂଶୁ କୁମାର ମହାନ୍ତି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।

ଚଳିତ ବର୍ଷ ଓଡ଼ିଶାକୁ ପ୍ରାପ୍ତ ଆନୁମାନିକ ୫୫୦ ବର୍ଗ ମିଟର ସ୍ଥାନରେ ନିର୍ମିତ ଓଡ଼ିଶା ମଣ୍ଡପର ଡିଜାଇନ ପରିକଳ୍ପନା ଭୁବନେଶ୍ଵରର ଇମାଜେରି କରିଥିବା ବେଳେ କଟକର ଭାରତୀ ଚିତ୍ରାଳୟ ଅତି ନିଖୁଣ ଭାବେ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ ।

Leave A Reply

Your email address will not be published.