Latest Odisha News

ଏସିଆନ ଗେମ୍ସ: ହକିରେ ସ୍ୱର୍ଣ୍ଣ, ଭାରତର ୧୦୦ ପଦକ ନିଶ୍ଚିତ

ହାଙ୍ଗଝୋଉ: ହକିରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଚଳିତ ଏସିଆନ ଗେମ୍ସରେ ଭାରତ ଦ୍ରୁତ ଗତିରେ ତାର ଟାର୍ଗେଟ ୧୦୦ ପଦକ ଆଡେ ଗତି କରୁଛି । ୧୩ତମ ଦିନ ଭାରତ ୯ ପଦକ ଜିତିବା ପରେ ଏହାର ସଂଖ୍ୟା ୯୫ରେ ପଂହଚିଛି । ଏହା ବ୍ୟତୀତ ୪ଟି ଖେଳରେ ୭ ପଦକ ଭାରତର ପ୍ରାୟତଃ ନିଶ୍ଚିତ ହୋଇଛି ।
ହକିରେ ସ୍ୱର୍ଣ୍ଣ: ପୁରୁଷ ହକି ଫଇନାଲରେ ଭାରତ ୫-୧ ଗୋଲରେ ଜାପାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତ ପକ୍ଷରୁ ମନପ୍ରୀତ ସିଂ, ହରମନପ୍ରୀତ ସିଂ(୨ଟି), ଅମିତ ରୋହୀଦାସ ଓ ଅଭିଷେକ ଗୋଲ ସ୍କୋର କରିଥିଲେ । ଜାପାନର ତାନାକା ଦଳ ପକ୍ଷରୁ ଏକମାତ୍ର ଗୋଲଟି ଦେଇଥିଲେ । ଏହି ବିଜୟ ସହ ଭାରତ ୨୦୨୪ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରି ନେଇଛି ।

ରେସଲିଂ, ବ୍ରିଜ, ତୀରନ୍ଦାଜରେ ପଦକ: ରେସଲିଂ ୭୬ କେଜି ମହିଳା ବିଭାଗରେ କିରଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ମଙ୍ଗୋଲିଆର ଗ୍ୟାନବେଟ ଅରିଉଜରଙ୍ଗଗଲଙ୍କ ନିକଟରୁ ହାରି ଯାଇଥିଲେ । ପୁରୁଷ ଫ୍ରିଷ୍ଟାଇଲ ୫୭ କେଜି ବିଭାଗରେ ଅମନ ବ୍ରୋଞ୍ଜ ଜିତିଛନ୍ତି । ବ୍ରିଜ ଗେମରେ ଭାରତ ରୌପ୍ୟ ପଦକ ହାସଲ କରିଛି । ଫାଇନାଲରେ ରାଜୁ ତୋଲାନୀ, ଅଜୟ ପ୍ରଭାକର କହେରେ, ରାଜେଶ୍ୱରୀ ତିୱାରୀ ଓ ସୁମିତ ମୂର୍ଖାଜୀ ହଂକଂ ନିକଟରୁ ୨୩୮.୧-୧୫୨ରେ ହାରିଯାଇଥିଲେ । ତୀରନ୍ଦାଜ ରିକର୍ଭ ପୁରୁଷ ଟିମ ଇଭେଂଟରେ ଭାରତ ଫାଇନାଲରେ ଦକ୍ଷିଣ କୋରିଆଠାରୁ ହାରି ରୌପ୍ୟ ପଦକ ଜିତିଛି ।

ସେପକା ଟାକ୍ରାରେ ଭାରତର ମହିଳା ଟିମ ରେଗୁ ସେମିଫାଇନାଲରେ ଥାଇଲାଣ୍ଡଠାରୁ ହାରିଥିଲେ ମଧ୍ୟ ବ୍ରୋଞ୍ଜ ପଦକ ଜିିତିଛି । ଅନ୍ୟ ପ୍ରମୁଖ ପ୍ରତିଯୋଗିତା ମଧ୍ୟରେ ଭାରତ କବାଡି ମହିଳା ବିଭାଗରେ ନେପାଳକୁ ୬୧-୧୭ରେ ହରାଇ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛି । ପୂର୍ବରୁ କ୍ରିକେଟ ଟିମ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ପୁରୁଷ ବ୍ୟାଡମିଂଟନ ଡବଲ୍ସ ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ପ୍ରବେଶ କରି ଇତିହାସ ରଚିଛନ୍ତି ।

Comments are closed.