Latest Odisha News

BREAKING NEWS

ମାଗଣା ଯୋଜନା ଉପରେ ଲାଗିବ ରୋକ୍ !

ଭୁବନେଶ୍ୱର: ଦିନେ ଦୁଇଦିନ ମଧ୍ୟରେ ଦେଶର ପ୍ରମୁଖ ରାଜ୍ୟଗୁଡିକ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଏସବୁ ରାଜ୍ୟଗୁଡିକର ରାଜନୀତି ଚଳଚଂଚଳ ହୋଇଉଠିଛି।

ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ସରକାର ମାଗଣା ସାମଗ୍ରୀ ବାଣ୍ଟିବା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି। ଯାହାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାରଙ୍କୁ ଜବାଵ ମାଗିଛନ୍ତି। ଜବାଵ ଦାଖଲ ପାଇଁ କୋର୍ଟ ଚାରି ସପ୍ତାହ ସମୟ ଦେଇଛନ୍ତି।

ନିର୍ବାଚନ ପୂର୍ବରୁ ରାଜ୍ୟଗୁଡିକ ବିଭିନ୍ନ ମାଗଣା ଯୋଜନା ବାଣ୍ଟିବା ପ୍ରସଙ୍ଗକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ମାଗଣା ଯୋଜନା ସବୁ ଲୋକଙ୍କ ଉପରେ ବୋଝ ବଢ଼ାଉଥିବା କୁହାଯାଇଥିଲା।

ତେଣୁ ବିଧାନସଭା ନିର୍ବାଚନ ପୂର୍ବରୁ ମାଗଣା ସାମଗ୍ରୀ ବଣ୍ଟନ ପ୍ରତିଶ୍ରୁତି ଉପରେ ରୋକ ଲଗାଇବାକୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଏ ସମ୍ପର୍କରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି।

ଶୁଣାଣି ପରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର ସହ ଏମପି , ରାଜସ୍ଥାନ ସରକାର ଓ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ନୋଟିସ ଜାରି କରିଛନ୍ତି। ସମସ୍ତଙ୍କୁ ଜବାଵ ଦେବାକୁ ଚାରି ସପ୍ତାହ ସମୟ ଦିଆଯାଇଛି।

ବିଧାନସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଭିନ୍ନ ମାଗଣା ଯୋଜନା ଦ୍ୱାରା ପ୍ରଲୋଭିତ କରାଯାଉଥିବା ସମ୍ପର୍କିତ ମାମଲା ଭଟୁଲାଲ ଜୈନଙ୍କ ଦ୍ଵାରା କରାଯାଇଛି। ଅଭିଯୋଗକାରୀଙ୍କ ପକ୍ଷର ଓକିଲଙ୍କ କହିବା କଥା ନିର୍ବାଚନ ପୂର୍ବରୁ ମାଗଣା ବଣ୍ଟନ ଠାରୁ ଆଉ କିଛି ନିଷ୍ଠୁର କାର୍ଯ୍ୟ ନାହିଁ।

ପ୍ରତ୍ୟେକ ଥର ଏହା କରାଯାଉଛି ଓ ଏହାର ବୋଝ କରଦାତାଙ୍କ ଉପରେ ପଡୁଛି ବୋଲି ସେ କହିଛନ୍ତି। ତେଣୁ ଏ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଯାହାକୁ ନେଇ ରାଜନୀତି ତୀଵ୍ର ହେଉଛି।

ରାଜସ୍ଥାନରେ ଗେହଲଟ ସରକାର ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସହ ମହଂଗାଇ ରାହତ କ୍ୟାମ୍ପ ମାଧ୍ୟମରେ ବହୁ ଯୋଜନା ରିହାତି ଓ ମାଗଣାରେ ଦେଉଛନ୍ତି।

ସେହିପରି ମଧ୍ୟପ୍ରଦେଶରେ ଶିବରାଜ ସରକାର ୪୫୦ ଟଙ୍କାରେ ରନ୍ଧନ ଗ୍ୟାସ ଓ ଲାଡଲି ବେହେନ ଯୋଜନାରେ ବହୁ ମାଗଣା ସ୍କିମ କାର୍ଯ୍ୟକାରୀ କରିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ହେଉଛି।

ସେପଟେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ମଧ୍ୟ ବହୁ ମାଗଣା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରଲୋଭିତ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏବେ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ କଡା ଆଭିମୁଖ୍ୟ ଘଟଣାକୁ କେଉଁ ମୋଡ଼ ଦେଉଛି ତାକୁ ନେଇ ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.