Latest Odisha News

BREAKING NEWS

ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

ଭୁବନଶ୍ୱର: ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମରୁ ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ। ଏହାରି ଭିତରେ ଖଣି ମନ୍ତ୍ରୀଙ୍କୁ ସୁନା ଖଣି ସମ୍ପର୍କରେ ପ୍ରଶ୍ନ କରିଥିଲେ ତାରା ବାହିନୀପତି। ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ ବିଭୁତି ଜେନା।

ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି। ଜିଏସ୍‌ଆଇ ଦ୍ବାରା ତମ୍ବାପଥର ଅନ୍ବେଷଣ ବେଳେ ମିଳିଛି ସୁନା ସନ୍ଧାନ। ଏହି ଅଞ୍ଚଳରେ ସୁନା ଗଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ଜଣାପଡ଼ିଛି। ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନା ଥାଉକି, କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି। ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ସେହିପରି ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷନ ଚାଲିଛି।

ଅପରପକ୍ଷରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ସୂଚନା ମିଳିଛି। ଓଡ଼ିଶାରେ ସୁନାଖଣି ହେଲେ ଏହା ରାଜ୍ୟର ଅର୍ଥନୀତି ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି।

Comments are closed.