Latest Odisha News

BREAKING NEWS

ଓଡିଶାର ଏହି ସବୁ ଜିଲ୍ଲାରେ ଅଛି ସୁନା ଖଣି….

ଭୁବନେଶ୍ବର: ଓଡ଼ିଶା ମାଟିରେ ଗଚ୍ଛିତ ଅଛି ସୁନା ଖଣି । ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି ।

ତେବେ ଆଜି ଗୃହରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏବଂ ଉପାସନା ମହାପାତ୍ର ଦୁହେଁ ଓଡିଶାରେ ଖଣିର ସନ୍ଧାନ କେଉଁ ଜିଲ୍ଲାରେ ମିଳିଛି ସବିଶେଷ ତଥ୍ୟ ମାଗିଥିବା ବେଳେ ଏନେଇ ମନ୍ତ୍ରୀ କହିଥିଲେ, ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ୱାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି । ସେହିପରି କେଉଁଝର ଜିଲ୍ଲାର ଗୋପୁର– ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ଖଣିର ଖୋରାକ ମିଳିଥିବା ବେଳେ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଏବଂଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ତବେ କହିରଖୁଛୁ, ପୂର୍ବରୁ ମଧ୍ୟ ମନ୍ତ୍ରୀ ରାଜ୍ୟରେ ସୁନାଖଣି ରହିଥିବା ନେଇ ସୂଚନା ଦେଇଥିଲେ । କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି। ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷନ ଚାଲିଛି । ଅପରପକ୍ଷରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ସୂଚନା ମିଳିଛି । ଓଡ଼ିଶାରେ ସୁନାଖଣି ହେଲେ ଏହା ରାଜ୍ୟର ଅର୍ଥନୀତି ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ କହିଥିଲେ ।

Comments are closed.