ନୂଆଦିଲ୍ଲୀ: ଦାଉ ସାଧୁଛି ସୁନା ଦର । ୫ ଦିନରେ ବଢିଲାଣି ୫ ହଜାର । ଏବେ ଲକ୍ଷେ ମୁହାଁ ଆଗେଇଛି । ସୁନା ଦର ଏବେ ୯୫ ହଜାର ଡେଇଁଥିବା ବେଳେ ପୁଣି ଗ୍ରାହକଙ୍କୁ ଦେବାକୁ ଯାଉଛି ବଡ ଝଟକା । ଲଗାତାର ୫ ଦିନ ସୁନା ଦର ବଢୁଥିବା ବେଳେ ଆଜି ସାମନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ହେଲେ ପୁଣି ଚିନ୍ତା ବଢାଇଲାଣି ବିଶେଷଜ୍ଞଙ୍କ ଭବିଷ୍ୟବାଣୀ । ଖୁବଶୀଘ୍ର ସୁନା ଦର କେବଳ ଲକ୍ଷେ ଡେଇଁବନି, ସିଧା ଲକ୍ଷେ ୩୬ ହଜାରରେ ବିକ୍ରି ହେବ ହଳିଦିଆ ଧାତୁ ।
୫୫ ରୁ ସିଧା ଲକ୍ଷେ ୩୬
ଗତ କିଛି ଦିନ ହେବ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହେଉଥିଲେ ମଧ୍ୟ ଦାବି ହେଉଥିଲା ଯେ, ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାକୁ ହ୍ରାସ ପାଇପାରେ । କିନ୍ତୁ ଏବେ ସିଧା ଏହାର ବିପରୀତ । ଗତ ସପ୍ତାହରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଥିବା ବେଳେ ଏବେ ସୁନାର ମୂଲ୍ୟ ସମ୍ପର୍କରେ ଗୋଲ୍ଡମ୍ୟାନ୍ ସାକ୍ସର ଏକ ରିପୋର୍ଟ ଆସିଛି । ଯାହା ସମସ୍ତଙ୍କୁ ଚମକାଇଦେଇଛି । ରିପୋର୍ଟରେ ଦାବି କରାଯାଇଛି ଯେ,ସୁନାର ମୂଲ୍ୟ ଆଉନ୍ସ ପ୍ରତି ୪୫୦୦ ଡଲାର ଅର୍ଥାତ୍ ପ୍ରତି ୧୦ ଗ୍ରାମ ପିଛା ୧ଲକ୍ଷ ୩୬ ହଜାର ଟଙ୍କାରେ ପହଞ୍ଚିପାରେ ।
ତୃତୀୟ ଥର ବୃଦ୍ଧି ପାଇଛି ଟାର୍ଗେଟ ଭାଲ୍ୟୁ
ଗୋଲ୍ଡମ୍ୟାନ୍ ସାକ୍ସ ପୁଣି ଥରେ ସୁନାର ଟାର୍ଗେଟ ମୂଲ୍ୟ ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି କରିଛି । ୨୦୨୫ ଶେଷ ସୁଦ୍ଧା ସୁନାର ଟାର୍ଗେଟ ଭାଲ୍ୟୁ ପ୍ରତି ଆଉନ୍ସ ପିଛା ୩,୭୦୦ ଡଲାରକୁ ବୃଦ୍ଧି କରିଛି, ଯାହା ଏହି ବର୍ଷ ତୃତୀୟ ବୃଦ୍ଧି । ମାର୍ଚ୍ଚ ମାସର ଆରମ୍ଭରେ, ସୁନାର ଟାର୍ଗେଟ ଭାଲ୍ୟୁ ପ୍ରତି ଆଉନ୍ସ ପିଛା ୩,୩୦୦ ଡଲାରକୁ ବୃଦ୍ଧି କରାଯାଇଥିଲା । ତେବେ ଟାର୍ଗେଟ ମୂଲ୍ୟ ଦର୍ଶାଏ ଯେ ଆଗାମୀ ସମୟରେ ବଜାରରେ ସୁନାର ମୂଲ୍ୟ କେତେ ଦୂର ଯାଇପାରେ । ନିବେଶ ବ୍ୟାଙ୍କ ଅନୁଯାୟୀ, ବାଣିଜ୍ୟ ଯୁଦ୍ଧ ଯୋଗୁଁ ଆମେରିକୀୟ ଅର୍ଥନୀତି ବଜାରରେ ଚିନ୍ତାର ପରିସ୍ଥିତି ସଅଷ୍ଟି ହୋଇଛଇ । ଆଉ ବଜାରର ମାନ୍ଦାବସ୍ଥାର ଭୟ ଯୋଗୁଁ, ସୁରକ୍ଷିତ ନିବେଶ ପାଇଁ ନିବେଶକମାନେ ସୁନାକୁ ହିଁ ପ୍ରଥମ ପସନ୍ଦ କରିଥିବା ବେଳେ ସୁନାର ଚାହିଦା ବୃଦ୍ଧି ପାଇପାରେ ।
ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ
ଆମେରିକା ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ସୁନାର ଚାହିଦା ଏବଂ ମୂଲ୍ୟରେ ବୃଦ୍ଧି ଦେଖାଯାଉଛି ଗୋଟିଏ ପଟେ, ଆମେରିକା ଚିନ୍ ଆମଦାନୀ ଉପରେ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି କରିଥିବା ବେଳେ ଚୀନ୍ ମଧ୍ୟ ପ୍ରତିଶୋଧାତ୍ମକ ଭାବେ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି । ଯେଉଁ କାରଣରୁ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି । ଏଥିସହିତ ଭାରତରେ ସୁନାର ମୂଲ୍ୟ ଅନେକ କାରଣ ଯୋଗୁଁ ପରିବର୍ତ୍ତନ ହୁଏ, ଅନ୍ତର୍ଜାତୀୟ ବଜାର ମୂଲ୍ୟ, ସରକାରୀ ଟିକସ ଏବଂ ଟଙ୍କାର ମୂଲ୍ୟରେ ହ୍ରାସ ସୁନା ଦରକୁ ପ୍ରଭାବିତ କରିଥାଏ । ତେବେ ଭାରତରେ ସୁନା କେବଳ ନିବେଶର ଏକ ମାଧ୍ୟମ ତାହା ନୁହେଁ ବରଂ ଏହା ଆମର ପରମ୍ପରା ଏବଂ ପର୍ବଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟ । ଯେଉଁ କାରଣରୁ ସୁନାର ଚାହିଦା ବଢୁଛି ।
ଆଜିର ସୁନା ମୂଲ୍ୟ
ଆଜି ସୁନା ମୂଲ୍ୟରେ ଟିକିଏ ହ୍ରାସ ପରିଲକ୍ଷିତ ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୬୦ ଟଙ୍କା କମିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୫୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ଘଟି ୮୭,୭୦୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି । ସେହିପରି ଜାତୀୟ ରାଜଧାନୀ ଆଜି ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୭,୮୪୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୫, ୮୧୦ ଟଙ୍କା ରହିଛି।
Comments are closed.