Latest Odisha News

BREAKING NEWS

ଯୁଦ୍ଧର ଘନଘଟା ଭିତରେ ନ୍ୟୟର୍କରୁ ନୂଆଦିଲ୍ଲୀ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଉତ୍ତେଜନା କେବଳ ଅଶୋଧିତ ତୈଳ ଦରରେ ନିଆଁ ଲଗାଇଦେଇନାହିଁ ବରଂ ସୁନା ଦର ମଧ୍ୟ ବଢାଇ ଦେଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୨୭୦୦ ଡଲାର ପାଖାପାଖି ପହଞ୍ଚିଛି । ଅନ୍ୟପକ୍ଷରେ ଭାରତର ଫ୍ୟୁଚର ବଜାରରେ ସୁନା ଦର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ସୁନା ଓ ରୁପା ମୂଲ୍ୟ ଆହୁରି ଅଧିକ ଦେଖିବାକୁ ମିଳିପାରେ ।

ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ଇରାନ ୪୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରି ଇସ୍ରାଏଲ ବିରୋଧରେ ଜବାବ ଦେଇଥିଲା। ଏହାପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ତେଣୁ ବିଶ୍ୱ ବଜାରର ସ୍ଥିତି ଖରାପ ହେବାରେ ଲାଗିଛି । ଯେଉଁଥିପାଇଁ ନିବେଶକମାନେ ସେଫ୍ ହେଭେନ୍ ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ନ୍ୟୁୟର୍କରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସୁନା ଦର ସାମ୍ନାକୁ ଆସିଛି ।

ଯଦିଓ ନ୍ୟୁୟର୍କର କୋମେକ୍ସ ବଜାରରେ ବୁଧବାର ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳୁଛି, କିନ୍ତୁ ବୁଧବାର ସୁନା ଦରରେ ଆଉନ୍ସ ପିଛା ୩୦ ଡଲାରରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ସୁନା ଫ୍ୟୁଚର ମୂଲ୍ୟ ଆଉନ୍ସ ପିଛା ୨୬୯୪ ଡଲାରରେ ପହଞ୍ଚିଛି । ବର୍ତ୍ତମାନ ଏହାର ମୂଲ୍ୟ ଆଉନ୍ସ ପିଛା ୨,୬୮୧.୪୦ ଡଲାର ରହିଛି। ଅନ୍ୟପକ୍ଷରେ ସୁନା ଦର ମଧ୍ୟ ଆଉନ୍ସ ପିଛା ୨୬୮୦ ଡଲାର ଅତିକ୍ରମ କରିଛି। ସେହିପରି ବର୍ତ୍ତମାନର ଦର ଆଉନ୍ସ ପିଛା ୨,୬୫୮.୯୨ ଡଲାର ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ସୁନା ଦର ଆଉନ୍ସ ପିଛା ୨୭୦୦ ଡଲାର ଅତିକ୍ରମ କରିବ।

ଯଦି ଆମେ ୟୁରୋପୀୟ ବଜାର ବିଷୟରେ କହିବା ତେବେ ସୁନା ଦର ଆଉନ୍ସ ପିଛା ୪.୪୦ ୟୁରୋ ହ୍ରାସ ପାଇ ଆଉନ୍ସ ପିଛା ୨,୪୦୧.୭୭ ୟୁରୋରେ କାରବାର କରୁଛି । ସେହିପରି ବ୍ରିଟିଶ ବଜାରରେ ସୁନା ଦର ଆଉନ୍ସ ପିଛା ୩ ପାଉଣ୍ଡ ହ୍ରାସ ପାଇ ଆଉନ୍ସ ପିଛା ୨୦୦୧.୨୮ ପାଉଣ୍ଡରେ କାରବାର କରୁଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଦେଶର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି ଏବଂ ମୂଲ୍ୟ ୭୬୫୦୦ ଅତିକ୍ରମ କରିଛି । ମଙ୍ଗଳବାର ବଜାର ବନ୍ଦ ହେବା ପରେ ସୁନା ଦର ୧୦ ଗ୍ରାମ ପିଛା ୭୭୯ ଟଙ୍କା ବୃଦ୍ଧି ପାଇ ୭୬,୩୯୦ ଟଙ୍କାରେ ପହଞ୍ଚିଛି । ସେହିପରି କାରବାର ସମୟରେ ସୁନା ଦର ୧୦ ଗ୍ରାମ ପିଛା ୭୬,୫୮୯ ଟଙ୍କାରେ ପହଞ୍ଚିଛି । ଚଳିତ ବର୍ଷ ସୁନା ଦର ନିବେଶକଙ୍କୁ ୨୧ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି। ଅର୍ଥାତ୍ ସୁନା ମୂଲ୍ୟରେ ୧୩,୩୮୬ ଟଙ୍କାର ବୃଦ୍ଧି ଘଟିଛି ।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଆଗାମୀ ଦିନରେ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିବ କି ନାହିଁ । ଏଚଡିଏଫସି ସିକ୍ୟୁରିଟିଜର ମୁଦ୍ରା ସାମଗ୍ରୀ ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ଯେ ଉତ୍ତେଜନା ଯୋଗୁଁ ସୁନା ଦରକୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ସୁନା ଦର ରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ । ଆଗାମୀ ଦିନରେ ସୁନା ଦର ୮୦ ହଜାର ଟଙ୍କା ସ୍ତରରେ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.