ମୁମ୍ବାଇ: ୨୦୨୫ ବର୍ଷ ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ନାମାଙ୍କନ ତାଲିକା ପ୍ରକାଶ ପାଇଛି। ଭାରତୀୟ ନିର୍ଦ୍ଦେଶକ ପାୟଲ କାପାଡିଆଙ୍କ ଫିଲ୍ମ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରଟି ଗୋଟିଏ ନୁହେଁ ବରଂ ଦୁଇଟି ଶ୍ରେଣୀରେ ମନୋନୀତ ହୋଇଛି। ଏହାପୂର୍ବରୁ ଏହି ଚଳଚ୍ଚିତ୍ର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଦେଖିବାକୁ ମିଳିଥିଲା।
ଫିଲ୍ମର ଲେଖିକା ଓ ନିର୍ଦ୍ଦେଶିକା ପାୟଲ କପାଡ଼ିଆ ଐତିହାସିକ ଗୋଲ୍ଡେନ୍ ଗ୍ଲୋବ୍ ନୋମିନେସନ୍ରେ ସ୍ଥାନ ପାଇଛନ୍ତି । ଫିଲ୍ମକୁ ଅଣ-ଇଂରାଜୀ ବିଭାଗରେ ଶ୍ରେଷ୍ଠ ମୋସନ୍ ପିକ୍ଚର ରେସ୍ରେ ମଧ୍ୟ ନୋମିନେଟ୍ କରାଯାଇଛି। ସୋମବାର ମିଣ୍ଡି କଲିଙ୍ଗ ଓ ମୋରିସ ଚେଷ୍ଟ୍ନଟ୍ ୮୨ତମ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଲାଗି ନୋମିନେସନ୍ ଘୋଷଣା କରିଥିଲେ। ଭାରତ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। କାରଣ ଗୋଲ୍ଡେନ୍ ଗ୍ଲୋବ୍ ଇତିହାସରେ ପ୍ରଥମ ଥର ଜଣେ ଭାରତୀୟ ନିର୍ଦ୍ଦେଶକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ବିଭାଗରେ ନୋମିନେଟ୍ କରାଯାଇଛି।
ନିକଟରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆୱାର୍ଡ ଦ୍ୱାରା ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମର ଟାଇଟଲ ମିଳିଥିଲା। ଗୋଥମ୍ ଆୱାର୍ଡସ୍ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଥିଲା। ସେତିକି ନୁହେଁ ସମ୍ମାନାସ୍ପଦ ସାଇଟ୍ ଆଣ୍ଡ୍ ସାଉଣ୍ଡ୍ ପତ୍ରିକା ଦ୍ୱାରା ଏହାକୁ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଥିଲା। କାନି କୁସରୁତି, ଦିବ୍ୟା ପ୍ରଭା ଓ ଛାୟା କଦମଙ୍କ ଅଭିନୀତ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ୩ ଜଣ ମହିଳାଙ୍କ ଜରିଆରେ ମାୟାନଗରୀ ମୁମ୍ବାଇରେ ପ୍ରେମ, ଲାଳସା ଓ ନିଃସଙ୍ଗତାକୁ ପରଦାରେ ଉତାରିଛି। ଏହି ମହିଳାଙ୍କ ମଧ୍ୟରେ ଦୁଇଜଣ ନର୍ସ ପ୍ରଭା ଓ ଅନୁ ଏବଂ ସେମାନଙ୍କ ସାଙ୍ଗ ପ୍ରଭାତୀ ଅଛନ୍ତି ।
Comments are closed.