ଭୁବନେଶ୍ଵର: ଆସ୍ଥା ଓ ବିଶ୍ବାସର ମହାମେଳା ମହାକୁମ୍ଭମେଳା । ପ୍ରୟାଗରାଜକୁ ଛୁଟୁଛି ଦେଶ ତଥା ବିଦେଶରୁ କୋଟି କୋଟି ଭକ୍ତଙ୍କ ଭିଡ । ଲକ୍ଷାଧିକ ସଂଖ୍ୟକ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଓ ବିଦେଶୀଭକ୍ତଙ୍କ ଗହଣରେ ଗତକାଲିଠୁ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ଗତକାଲିଠୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ତେବେ ସାରା ଦେଶରେ ମହାକୁମ୍ଭକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ଏହି ଖୁସିରେ ସାମିଲ ହୋଇଛି ଗୁଗୁଲ । ମହାକୁମ୍ଭର ଏହି ପବିତ୍ର ଅବସରରେ ଗୁଗୁଲ ମଧ୍ୟ ନିଆରା ଢଙ୍ଗରେ ଶ୍ରଦ୍ଧାଳୁ ମାନଙ୍କୁ ଉତ୍ସାହିତ କରୁଛି ।
ଦୁନିଆର ସବୁଠୁ ବଡ଼ ସର୍ଚ୍ଚିଂ ପ୍ଲାଟଫର୍ମ ଗୁଗଲରେ ଯଦି ଏବେ ଆପଣ ମହାକୁମ୍ଭ ସର୍ଚ୍ଚ କରନ୍ତି ତେବେ ଆପଣଙ୍କ ସ୍କ୍ରୀନରେ ଫୁଲ ବର୍ଷା ହେଉଥିବା ଦେଖିବାକୁ ମିଳିବ । ଆପଣ ଆପଣଙ୍କ ମୋବାଇଲ କିମ୍ବା ଡେସ୍କଟପରେ ଏହି ମ୍ୟାଜିକର ଉପଭୋଗ କରିପାରିବେ । ମହାକୁମ୍ଭର ଏହି ପବିତ୍ର ଅବସରକୁ ନିଆରା ଓ ସ୍ୱତନ୍ତ୍ର କରିବା ପାଇଁ ଗୁଗଲ ଏକ ମ୍ୟାଜିକ ଟୁଲ୍ ବ୍ୟବହାର କରିଛି । ଯଦି ଆପଣ ଗୁଗଲରେ ‘ମହାକୁମ୍ଭ’ ଲେଖି ସର୍ଚ୍ଚ କରିବେ ତେବେ ଆପଣଙ୍କର ପୂରା ସ୍କ୍ରିନରେ ଗୋଲାପ ଫୁଲର ପାଖୁଡା ଖସୁଥିବା ଦେଖିବାକୁ ମିଳିବ । ଏଥିସହ ଆପଣ ଚାହିଁଲେ ଏହାକୁ ସେୟାର ମଧ୍ୟ କରିପାରିବେ ।
ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜର ଫୋନ୍ ବା ଡେସ୍କଟପ୍ରେ ଗୁଗଲକୁ ଓପନ କରିବାକୁ ପଡିବ । ଏହାପରେ ଗୁଗୁଲର ସର୍ଚ୍ଚ ସ୍ଥାନରେ ଆପଣ ଯେ କୌଣସି ଭାଷାରେ ମହାକୁମ୍ଭ ଲେଖନ୍ତୁ । ମହାକୁମ୍ଭ ଲେଖିବାର କିଛି ମିନିଟ୍ ପରେ ଆପଣଙ୍କ ସ୍କ୍ରିନ୍ରେ ଗୋଲାପ ଫୁଲର ପାଖୁଡା ବର୍ଷା ହେବାକୁ ଲାଗିବ । ଏଥିସହ ଆପଣଙ୍କ ସ୍କ୍ରିନ୍ର ତଳେ ୩ଟି ଅପ୍ସନ ମଧ୍ୟ ଆସିବ । ପ୍ରଥମ ଅପ୍ସନକୁ କ୍ଲିକ୍ କଲେ ଗୋଲାପ ପାଖୁଡ଼ା ଖସିବାକୁ ଅଟକାଇ ପାରିବେ । ଦ୍ଵିତୀୟ ଅପ୍ସନକୁ କ୍ଲିକ କଲେ ଅଧିକ ସଂଖ୍ୟାରେ ଗୋଲାପ ପାଖୁଡ଼ା ବର୍ଷା ହେବ । ସେହିଭଳି ତୃତୀୟ ଅପ୍ସନକୁ କ୍ଲିକ କଲେ ଗୋଲାପ ବର୍ଷା ହେଉଥିବା ସ୍କ୍ରିନ୍କୁ ଅନ୍ୟ ଜଣଙ୍କୁ ସେୟାର ବି କରିପାରିବେ ।