Latest Odisha News

BREAKING NEWS

ନବ ଦାସଙ୍କୁ ମାରିବାକୁ ୪ ମାସ ଧରି ସୁଯୋଗ ଖୋଜୁଥିଲେ ଗୋପାଳ!

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରିମାଣ୍ଡ ଅବଧି ରବିବାରଠୁ ଆରମ୍ଭ ହୋଇଛି। ଝାରସୁଗୁଡାର ଓଏସଏପି ଦ୍ବିତୀୟ ବାଟାଲିଅନ କୋଠାରେ ଗୋପାଳଙ୍କୁ ଜେରା ଚାଲିଛି। ଏହାରି ଭିତରେ କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଗୋପାଳର ମର୍ଡର ପ୍ଲାନ ବାବଦରେ ରହିଛି।

କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳଙ୍କୁ ଜେରା ଜାରି ରଖିଛି। ଏହି ସମୟରେ ଗୋପାଳ କୁଆଡେ କହିଛନ୍ତି, ‘ରାଜ୍ୟ ସରକାର ଭଲ କାମ କରୁଛନ୍ତି। କିନ୍ତୁ କିଛି ନେତା ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏହି ନେତାମାନେ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଦୁଃଖ ଦେଉଛନ୍ତି। ଆଉ ଭୟଭୀତ କରି ରଖିବାକୁ ନିର୍ଯାତନା ଦେଉଛନ୍ତି। ଏହି ନେତାଙ୍କ ମଧ୍ୟରେ ଜଣେ ଥିଲେ ମନ୍ତ୍ରୀ ନବ ଦାସ। ତେଣୁ ନବ ଦାସଙ୍କୁ ମାରି ଦେଲି’।

ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା। କିନ୍ତୁ ସେ ତାଙ୍କୁ ଭଲ ପାଉନଥିଲେ। ତେଣୁ ଏଭଳି ଏକ ନିଷ୍ପତ୍ତି ଶନିବାର ଦିନ ନେଇଥିଲେ। ଜେରା ବେଳେ ଏପରି କିଛି ସୂଚନା ଗୋପାଳ ଦେଇଥିବା ଜଣାପଡିଛି। ଯାହାକୁ ନେଇ ଏବେ ତଦନ୍ତ ଆଗଉଛି। ହେଲେ ଏହାରି ଭିତରେ ଆଉ କିଛି ସୂଚନା ଆସିଛି। ଜିଲ୍ଲାର ଅନ୍ୟ କିଛି ପୋଲିସଙ୍କ ସୂଚନା ଅନୁଯାୟୀ, ମନ୍ତ୍ରୀଙ୍କ ଆଖପାଖରେ ଡ୍ୟୁଟି ନଥିଲେ ମଧ୍ୟ ଘୁରିବୁଲୁଥିଲେ ଗୋପାଳ। ସେତେବେଳେ କିନ୍ତୁ ଗୋପାଳଙ୍କ ହାବଭାବ ସ୍ବାଭାବିକ ଥିଲା। ସେପ୍ଚେମ୍ବର ୧୮ ତାରିଖ ଦିନ ନୂଆଖାଇ ବେଳେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଗୋପାଳଙ୍କ ଡ୍ୟୁଟି ପଡିଥିଲା। ଆଉ ସେ ମଧ୍ୟ ଡ୍ଯୁଟି କରୁଥିଲେ। ହେଲେ ବୋଧହୁଏ କ୍ଲୋଜ ରେଞ୍ଜରେ ଗୁଳି କରିବାକୁ ଗୋପାଳ ସୁଯୋଗ ପାଇନଥିଲେ। ତେଣୁ ସୁଯୋଗ ଅପେକ୍ଷାରେ ଥିଲେ। ସେହିପରି ବ୍ରଜରାଜନଗରରେ ନିକଟରେ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା। ସେଦିନ କିନ୍ତୁ ଗୋପାଳ ଦାସଙ୍କର ଡ୍ୟୁଟି ଅନ୍ୟତ୍ର ପଡିଥିଲା। ତେଣୁ ଗୋପଳ ବୋଧହୁଏ ନିଜ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ।

ସେହିପରି ଗତ ରବିବାର ଦିନ ବ୍ରଜରାଜନଗରର ତତ୍କାଳୀନ ଆଇଆଇସିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଆଇଆଇସି ମନ୍ତ୍ରୀଙ୍କୁ ଗ୍ରହଣ କରିବାକୁ ତାଙ୍କ କାର ଡୋର ପାଖରେ ଛିଡା ନହୋଇ ଡ୍ରାଇଭରଙ୍କ ଡୋର ପାଖରେ ଛିଡା ହୋଇଥିଲେ। ଯେଉଁଥିପାଇଁ ଅଭିଯୁକ୍ତ ଗୋପାଳକୁ ସଠିକ ସୁଯୋଗ ମିଳିଗଲା ବୋଲି କୁହାଯାଉଛି।

 

 

Leave A Reply

Your email address will not be published.