Latest Odisha News

BREAKING NEWS

ରାମ୍ପରେ ଜଲୱା ଦେଖାଇଲେ ଦିବ୍ୟାଙ୍ଗ

ଭୁବନେଶ୍ୱର : ରାମ୍ପରେ ଚାଲିଲେ ଦିବ୍ୟାଙ୍ଗ । ବାଣ୍ଟିଲେ ସଚେତନତାର ବାର୍ତ୍ତା । ରବିବାର ସନ୍ଧ୍ୟାରେ ଏମିତି ଏକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍‌ରେ । ମୁଖ୍ୟତଃ ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗକୁ ସାମିଲ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଭଲ କଥା ହେଉଛି ଏହି ରାମ୍ପରେ ଦିବ୍ୟାଙ୍ଗ ସହ ରାମ୍ପରେ ଚାଲିଥିଲେ ଗଲ୍‌ଫ କ୍ଲବର ସଦସ୍ୟମାନେ । ଏମିତି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ରେଡ଼୍ ସ୍ୱସ୍ତିକ୍ ସୋସାଇଟି । ଯାହାର ନାଁ ଥିଲା ସଂଜୀବନି ।

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୫ ଜଣ କର୍କଟ ପିଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏଥିସହିତ ୧୦୦ ଭିନ୍ନକ୍ଷମଙ୍କୁ କୃତିମ ଅଙ୍ଗ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ନିଆରା ରାମ୍ପ ସୋ ଆୟୋଜିତ ହୋଇଥିଲା, ଯେଉଁଥିରେ ଗଲଫ୍ କ୍ଲବ୍‌ର ପ୍ରମୁଖ ସଦସ୍ୟଙ୍କ ସହ ଭିନ୍ନକ୍ଷମ ମାନେ ରାମ୍ପରେ ନିଜର ଜଲୱା ଦେଖାଇଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଶାସନ ସଚିବ ଅସିତ୍ ତ୍ରିପାଠୀ, ଏସବିଆଇର ମୁଖ୍ୟ ସାଧାରଣ ପରିଚାଳକ ଚନ୍ଦ୍ରଶେଖର ଶର୍ମା ମୁଖ୍ୟ ଅତିଥି ଭାବେ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଲଫ କ୍ଲବ ସମ୍ପାଦକ ତପନ ମହାନ୍ତି , ସି.ଏ ରାଜୀବ ସାହୁ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ସମ୍ପାଦକ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ । ଏଥିରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପ୍ରମୁଖ ସଦସ୍ୟ ସାଗର ମିଶ୍ର, ଗିତିକା ପଟ୍ଟନାୟକ, ରିମ୍‌ଝିମ୍ ପାତ୍ର, କୁନାଲ୍ କିଶୋର ଦାସ, ପ୍ରମୋଦ ପାତ୍ର, ସଂଯୁକ୍ତା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.