Latest Odisha News

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା ଗ୍ୟାସ ଏଜେନ୍ସି ମାଲିକ ଏବଂ ମହଜୁଦକାରୀ ଗିରଫ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଦୁଇଜଣ ପୋଡ଼ି ଯାଇଥିଲେ । ଏହି ଘଟଣାରେ ଶନିବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ସେମାନେ ହେଲେ ଗ୍ୟାସ ଏଜେନ୍ସି ଏମ୍‌ଏସ୍‌ ବ୍ରହ୍ମପୁର ଇଣ୍ଡେନ ସର୍ଭିସର ମାଲିକ ତ୍ରିଲୋଚନ ପାଣିଗ୍ରାହୀ ଏବଂ ଗ୍ୟାସ ସିଲିଣ୍ଡର ମହଜୁଦ ରଖିଥିବା ଦୈତାରୀ ନାୟକ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏଥି ସହିତ ପୋଲିସ ୬୫ଟି ଡୋମେଷ୍ଟିକ ଏବଂ କମର୍ସିଆଲ ଗ୍ୟାସ ସିଲିଣ୍ଡର ମଧ୍ୟ ଜବତ କରିଛି ।

ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କ ଦେଇଥିବା ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନ ପାଣିଗ୍ରାହୀଙ୍କ ଗ୍ୟାସ ଏଜେନ୍ସିରେ ଦୈତାରୀ ଏବଂ ତାଙ୍କ ଭାଇ ଅଶୋକ ଗ୍ୟାସ ବିତରଣ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଦୈତାରୀ ଏବଂ ଅଶୋକ ବିପୁଳ ପରିମାଣରେ ଗ୍ୟାସ ସିଲିଣ୍ଡର ଆଣି ରାମଚନ୍ଦ୍ରପୁରସ୍ଥିତ ଘରେ ଗଚ୍ଛିତ ରଖିଥିଲେ ।

ଭବିଷ୍ୟତରେ ଏଗୁଡ଼ିକୁ ଚଢ଼ା ଦରରେ ବିକ୍ରି କରିବା ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିଲା । ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲା । ଏହି ବେଆଇନ୍‌ ମହଜୁଦ ସଂପର୍କରେ ଗ୍ୟାସ ଏଜେନ୍ସି ମାଲିକ ତ୍ରିଲୋଚନ ଅବଗତ ଥିଲେ । ତେବେ କୌଣସି ପ୍ରକାରେ ଦୁଇଟି କର୍ମସିଆଲ୍‌ ଗ୍ୟାସ ସିଲିଣ୍ଡର ଶୁକ୍ରବାର ଲିକ୍‌ ହୋଇଯାଇଥିଲା ।

ଭୀଷଣ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଦୈତାରୀଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବାପା ଦେବରାଜ ଏବଂ ଭାଇ ଅଶୋକ ପୋଡ଼ି ହୋଇ ଗୁରୁତର ହୋଇଯାଇଥିଲେ । ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଅଗ୍ନିଶମ ବିଭାଗର ଅଧିକାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଗୋପାଳପୁର ଥାନା କେସ୍‌ ନଂ ୧୩୫/୨୨ରେ ତ୍ରିଲୋଚନ ଏବଂ ଦୈତାରୀଙ୍କୁ ଗିରଫ କରାଯାଇଛି । ଜବତ ୬୫ଟି ଗ୍ୟାସ ସିଲିଣ୍ଠରକୁ ରଙ୍ଗେଇଲୁଣ୍ଡା ମାର୍କେଟିଂ ଇନ୍ସପେକ୍ଟରଙ୍କୁ ହସ୍ତାନ୍ତର କରାଯାଇଛି । ସେହିଭଳି ଏକ ଅଟୋକୁ ମଧ୍ୟ ଜବତ କରାଯାଇଥିବା ନେଇ ଏସ୍‌ପି ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି

Leave A Reply

Your email address will not be published.