Latest Odisha News

BREAKING NEWS

୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବୁଧବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଥିଲେ। ପୂର୍ବତନ ଆଇଏଏଫ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ କରିଥିବା ମାମଲାରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଡିସଚାର୍ଜ ପିଟିସନ୍ ଦାଖଲ କରିଥିଲେ।

ଶୁଣାଣି ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଥିଲେ ଯେ ଅଭୟ ପାଠକଙ୍କ ନାମରେ ୨ଟି, ଆକାଶ ପାଠକଙ୍କ ନାମରେ ୩ଟି, ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ୫ଟି ମାମଲା ରହିଛି। ସେଥିମଧ୍ୟରୁ ଗୋଟିଏ ମାମଲାରେ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ଶୁଣାଣି ହୋଇଥିବା ଏହି ମାମଲାରେ ତାଙ୍କୁ ଖଲାସ କରିବା ପାଇଁ ପ୍ରଦୀପ ପାଣିଗ୍ରାହୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାଉଣ୍ଟର କେସ୍ ଆଗତ କରିବା ପୂର୍ବରୁ ପବ୍ଲିକ୍ ପ୍ରସିକ୍ୟୁଟର ମାମଲାର ଅଧ୍ୟୟନ ପାଇଁ ସମୟ ମାଗିଥିଲେ। ଓକିଲଙ୍କ ପକ୍ଷ ରଖିବା ପରେ ପରବର୍ତ୍ତୀ ସମୟରେ ଶୁଣାଣି ହେବ।

ଶୁଣାଣି ପରେ ପାଠକ ବାପ ପୁଅ ଓ ପାଣିଗ୍ରାହୀଙ୍କୁ ୫ଟି ଯାକ ମାମଲାରେ ଜାମିନ ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ ୨୨ ତାରିଖରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ବିରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଜାଲିଆତି, ଅପରାଧିକ ଷଡଯନ୍ତ୍ର, ଓ ଅନ୍ୟାନ୍ୟ ସାଇବର ଅପରାଧ ଅଭିଯୋଗରେ ୨୦୨୦ ଡିସେମ୍ବର ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି।

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ‘ଟାଟା ମୋଟର୍ସ ଚାକିରି ଜାଲିଆତି’ ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ସେ ୨୦୨୧ ମସିହା ଜୁନ୍ ୧୨ ତାରିଖରେ ଭୁବନେଶ୍ୱର ଝାରପଡ଼ା ଜେଲ୍ରୁ ମୁକୁଳିଥିଲେ।

Comments are closed.