Latest Odisha News

BREAKING NEWS

ସରିଲା ଗୋପାଳର ନାର୍କୋ ଟେଷ୍ଟ, ଏଥର ସତ ସାମ୍ନାକୁ ଆସିବ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ଶେଷ ହୋଇଛି। ହତ୍ୟା ଘଟଣାକୁ ୧୪ ଦିନ ବିତିଛି। ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଛନ୍ତି। ଆଉ ତଦନ୍ତର ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ। ଗୁଳି ଏବଂ ଖୋକା ମିଳିବା ପରେ ହତ୍ୟାର ଉଦ୍ଦେଶ୍ୟ ଜାଣିବାକୁ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେରା କରିବା ସହିତ ବିଭିନ୍ନ ଟେଷ୍ଟ କରିଛି। ଏବେ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ରହସ୍ୟ ସାମ୍ନାକୁ ଆଣିପାରିବ ନା ପୁଣି ଆଉ କିଛି ଟେଷ୍ଟ କରିବ ତାହା ଏବେ ଅପେକ୍ଷା।

ଅଭିଯୁକ୍ତ ଗୋପାଳ ଦାସ ଏବେ ତୃତୀୟ ପର୍ଯ୍ୟାୟର ୫ ଦିନିଆ ରିମାଣ୍ଡରେ ରହିଛି। ପ୍ରଥମ ତିନି ଦିନରେ ପଲିଗ୍ରାଫ ସହିତ ନାର୍କୋ ଟେଷ୍ଟ ହୋଇଛି। କୌଣସି ଘଟଣାର ସତ୍ୟାସତ୍ୟ ଜାଣିବାକୁ ହେଲେ ନାର୍କୋ ଟେଷ୍ଟ ପରୀକ୍ଷା କରାଯାଏ। ମୁମ୍ବାଇ ବିସ୍ଫୋରଣ ଘଟଣା ସମେତ ବିଭିନ୍ନ ବଡ ବଡ ଘଟଣାରେ ଅଭିଯୁକ୍ତଙ୍କର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ହୋଇଛି। ଆଉ ଏବେ ନାର୍କୋ ଟେଷ୍ଟ ପରେ ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ ତାର ସତ ଜଣାପଡିବ ବୋଲି କୁହାଯାଉଛି।

ନାର୍କୋ ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଅର୍ଦ୍ଧଚେତନ ଅବସ୍ଥାରେ ରୁହନ୍ତି। ଏହି ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ପ୍ରଶ୍ନ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ପ୍ରୟାସ କରିଛନ୍ତି। ଏହି ଅର୍ଦ୍ଧଚେତନ ଅବସ୍ଥା ବେଳେ ଜଣେ ମିଛ କହିପାରେ ନାହିଁ। କିନ୍ତୁ ଅଭିଯୁକ୍ତ କଣ କହିଛନ୍ତି ତାହା ଏଯାବତ ଅସ୍ପଷ୍ଟ ରହିଛି।

ଏହାପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସଙ୍କର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ବା ଏଲଭିଏ ଟେଷ୍ଟ ଓ ସାଇକୋଲୋଜିକାଲ୍‌ ଆସେସମେଣ୍ଟ ବି କରାଯାଇଛି । ଇସ୍ରାଏଲ ଦ୍ୱାରା ତିଆରି ହୋଇଥିବା ଏହି ଏଲଭିଏ ପରୀକ୍ଷା ଝାରସୁଗୁଡାରେ ହୋଇଛି। ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ୍‌ ଫୋରେନସିକ୍‌ ସାଇନ୍ସ ଲାବ୍‌ ଟିମ୍‌ ବିଶେଷଜ୍ଞଙ୍କ ସହାୟତାରେ ଝାରସୁଗୁଡ଼ାରେ ଏଲଭିଏ ଟେଷ୍ଚ କରାଇଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ପରୀକ୍ଷା ବେଳେ ଗୋପାଳର ସ୍ୱର ନମୁନାରୁ ଜଣାପଡ଼ିବ ଅଭିଯୁକ୍ତ କେତେ ସତ କହିବ କେତେ ମିଛ କହୁଛି। ସେହିପରି ବାଙ୍ଗୋଲରୁ ଆସିଥିବା ନାସକୋମର ଟିମ୍ ଏବଂ ଏସସିବିର ମନସ୍ତତ୍ବବିଦ୍ ଅଭିଯୁକ୍ତର ମାନସିକ ପରୀକ୍ଷା କରାଇଛନ୍ତି। ଏହାପରେ ବି ପଲିଗ୍ରାଫ ଓ ନାର୍କୋ ଟେଷ୍ଚ ହୋଇଛି। ଏବେ ଅପେକ୍ଷା ବୋଥ୍ରାଙ୍କ ନେତୃତ୍ୱାଧୀନ ଟିମ୍ କେବେ ହତ୍ୟା ଘଟଣାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟାଇବ।

 

 

Comments are closed.