Latest Odisha News

ଶେଷ ହେଲା ଗୋଶାଣୀ ଯାତ୍ରା : ଶ୍ରୀମନ୍ଦିରରେ ମହାଦ୍ବୀପ ଉଠିବା ପରେ ମେଲାଣି ନେଲେ ଏକାଧିକ ଗୋଶାଣୀ ମୂର୍ତ୍ତି

ପୁରୀ : ଶେଷ ହେଲା ଶ୍ରୀକ୍ଷେତ୍ରର ଗୋଶାଣୀ ଯାତ୍ରା। ଜଳରେ ମେଲାଣି ନେଲେ ଏକାଧିକ ଗୋଶାଣୀ ମୂର୍ତ୍ତି ।ଶ୍ରୀମନ୍ଦିରରେ ମହାଦ୍ବୀପ ଉଠିବା ପରେ ଶୋଭାଯାତ୍ରାରେ ଯାଇ ଦେବୀଘାଟରେ ବିସର୍ଜିତ ହେଲେ ବିଶାଳ ଗୋଶାଣୀ ମୂର୍ତ୍ତିଙ୍କ ସମେତ ନାଗା,ସମ୍ପାତି, ବୁଢା ବୁଢ଼ୀ ଆଦି ଅନେକ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି । ଏକାଦଶୀ ତିଥିରେ ସିଂହଦ୍ୱାରରେ ଏକତ୍ରିତ ହୋଇଥିଲେ ମୃଣ୍ମୟୀ ମୂର୍ତ୍ତି । ଚଳଚଞ୍ଚଳ ହୋଇଥିଲା ଶ୍ରୀମନ୍ଦିର ସିଂହଦ୍ୱାର। ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ହେଉଛି ଗୋଶାଣୀ ଯାତ୍ରା ।

ଶାରଦୀୟ ପୂଜା ସମୟରେ ଦୁର୍ଗାଙ୍କ ସହଚରୀ ଭାବରେ ପୂଜା ପାଉଥିବା ପ୍ରକାଣ୍ଡ ମୃଣ୍ମୟୀ ଗୋଶାଣୀ ସବୁ ପରମ୍ପରା ଅନୁଯାୟୀ ସିଂହଦ୍ୱାରେଏକତ୍ରିତ ହୋଇଥିଲେ । ଭକ୍ତ ଓ ଶ୍ରଦ୍ଧାଳୁମାନେ ମେଲାଣି ପୂର୍ବରୁ ମାଆଙ୍କୁ ଶେଷ ଦର୍ଶନ କରିଥିଲେ । ଯଦିଓ ଦଶମୀ ଦିନଠାରୁ ଶ୍ରୀକ୍ଷେତ୍ରର ସାହି ସାହିରେ ପୂଜା ପାଇଥିବା ଏହି ମୃଣ୍ମୟୀ ମୂର୍ତ୍ତୀମାନେ ମନ୍ତ୍ରରେ ବିସର୍ଜିତ ହୋଇଥିଲେ  ।

କିନ୍ତୁ ବିଧି ଅନୁଯାୟୀ ଅପେକ୍ଷା ଥିଲା ମହାପ୍ରଭୁଙ୍କ ମହାଦ୍ବୀପ ଦର୍ଶନ କୁ। ମହାଦ୍ବୀପ ଦର୍ଶନ ପରେ ସମସ୍ତ ମୃଣ୍ମୟୀ ମୂର୍ତ୍ତି ସିଂହଦ୍ୱାର ଠାରୁ ଶୋଭାଯାତ୍ରାରେ ଯାଇ ଜଳରେ ମେଲାଣି ନେଇଥିଲେ । ସେପଟେ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା ସହ ପୋଲିସ ତରଫରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ଵ ମେଢ଼ ଦେବୀସଭାରେ ସାମିଲ ହୋଇଥିବା ବେଳେ ଦୁଇଟି ଲାଇନ ରେ ମେଢ଼କୁ ଏକତ୍ରିତ କରାଯାଇଥିଲା ।

Comments are closed.