Latest Odisha News

BREAKING NEWS

ବଜେଟ ୨୦୨୪; ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମିଳିବ ସହାୟତା

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି।

ବଜେଟରେ ମୋଟ ୧୧.୧୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ‘ପୂର୍ବୋଦୟ’ ସ୍କିମ। ପୂର୍ବାଞ୍ଚଳର ୫ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବେ ଭାରତ ସରକାର । ସେହି ୫ ରାଜ୍ୟ ହେଉଛି ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ।  ତେବେ ବଜେଟରେ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଇଛି।

ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ। ଏହାର ପର୍ଯ୍ୟଟନସ୍ଥଳୀକୁ ବିଶ୍ବସ୍ତରୀୟ କରାଯିବ। ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡିକର ବିକାଶ ପାଇଁ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବେ କେନ୍ଦ୍ର ସରକାର ।

ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ତଥା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ। ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି।

Comments are closed.