ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଆସନ୍ତା ନଭେମ୍ବର ୧୪ (ଶନିବାର) ଏବଂ ନଭେମ୍ବର ୧୫ ତାରିଖ (ରବିବାର) ସାପ୍ତାହିକ ଛୁଟି ଦିନ ହୋଇଥିଲେ ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ।
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହି ଦୁଇ ଦିନ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମିତ ଭାବେ ଅଫିସରେ ଉପସ୍ଥିତ ରହି କାର୍ଯ୍ୟ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ‘ଅର୍ଣ୍ଣବ’ କାରଣରୁ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ସହ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ପୁନରୁଦ୍ଧାର, ରିଲିଫ୍ ବଣ୍ଟନ ଏବଂ ଥଇଥାନ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
