Latest Odisha News

BREAKING NEWS

ମନରେଗା ଅଧିକ କାମ କରୁଥିବା ଶ୍ରମିକଙ୍କ ପାଇଁ ସରକାରଙ୍କ ବଡ ଉପହାର, ବଢିଲା ମନରେଗା ମଜୁରୀ ହାର

ନୂଆଦିଲ୍ଲୀ: ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା’ (MNREGA) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର । ସରକାର ମନରେଗା ମଜୁରୀ ହାରକୁ ୩ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲୋକସଭା ନିର୍ବାଚନ ପୂର୍ବରୁ ମଜୁରୀ ହାରକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମନରେଗା କର୍ମଚାରୀଙ୍କ ଏହି ନୂତନ ମଜୁରୀ ହାର ଏପ୍ରିଲ ୧, ୨୦୨୪ ରୁ ଲାଗୁ ହେବ ।

ବିଜ୍ଞପ୍ତି ଅନୁଯାୟୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବେତନ ହାର ସର୍ବନିମ୍ନ ୩ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଗୋଆରେ ବେତନ ହାର ସର୍ବାଧିକ ୧୦.୬ ପ୍ରତିଶତ ବୃଦ୍ଧି କରାଯାଇଛି । ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ପାଣ୍ଠି ରୋକିବା ନେଇ ବିବାଦ ଦେଖାଦେଇଥିବା ବେଳେ ସରକାର ଏହି ହାରରେ ବୃଦ୍ଧି କରିଛନ୍ତି।

ରିପୋର୍ଟ ଅନୁସାରେ, ଲୋକସଭା ନିର୍ବାଚନ ପାଇଁ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହୋଇଥିବାରୁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଶ୍ରମ ହାର ବିଷୟରେ ସୂଚନା ଦେବା ପୂର୍ବରୁ ନିର୍ବାଚନ ଆୟୋଗଙ୍କଠାରୁ ଅନୁମତି ମାଗିଥିଲା । ଆୟୋଗଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ମନ୍ତ୍ରଣାଳୟ ତୁରନ୍ତ ବେତନ ବୃଦ୍ଧି ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି ।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ମାଧ୍ୟମରେ ୨୦୦୫ରେ ମନରେଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାକୁ ବିଶ୍ଵର ସବୁଠୁ ବଡ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଭାବରେ ଗଣାଯାଏ | ଏହି ଯୋଜନା ଅଧୀନରେ ସରକାର ସର୍ବନିମ୍ନ ମଜୁରୀ ସ୍ଥିର କରିଛନ୍ତି ଯେଉଁଥିରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ମନରେଗା ଅଧୀନରେ କରାଯାଇଥିବା କାର୍ଯ୍ୟ ଅଣକୁଶଳୀ, ଯେଉଁଥିରେ ଗାତ ଖୋଳିବା ଠାରୁ ଆରମ୍ଭ କରି ଡ୍ରେନ୍ ତିଆରି ପର୍ଯ୍ୟନ୍ତ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ଯୋଜନା ଅଧୀନରେ, ଗୋଟିଏ ବର୍ଷରେ ୧୦୦ ଦିନ ରୋଜଗାରର ଏକ ଆଇନଗତ ଗ୍ୟାରେଣ୍ଟି ମିଳିଥାଏ ।

Leave A Reply

Your email address will not be published.