ନୂଆଦିଲ୍ଲୀ: ଲୋକଙ୍କ ଜୀବନକୁ ସୁବିଧାଜନକ କରିବା ପାଇଁ ମୋଦି ସରକାର ଭିତ୍ତିଭୂମି ଉପରେ ପୁଞ୍ଜି ବ୍ୟୟ କ୍ରମାଗତ ଭାବେ ବୃଦ୍ଧି କରୁଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୧୧.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଶୁକ୍ରବାର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଏହା କହିଛନ୍ତି ।
ସରକାରଙ୍କ ପୁଞ୍ଜି ବ୍ୟୟ ୨୦୨୧-୨୨ ମସିହାରେ ୫ ଲକ୍ଷ କୋଟିରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ ୧୧.୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, “ମୋଦୀ ସରକାରଙ୍କ ଧ୍ୟାନ ଭିତ୍ତିଭୂମି ନିର୍ମାଣ ଉପରେ ରହିଛି । ଗତ ୧୦ ବର୍ଷ ମଧ୍ୟରେ ଦେଶର ସଡକ, ବିମାନ ଏବଂ ରେଳ ସଂଯୋଗରେ ଯଥେଷ୍ଟ ଉନ୍ନତି ହୋଇଛି । ଏହା ଲୋକଙ୍କ ଜୀବନକୁ ସହଜ ତଥା ସୁବିଧାଜନକ କରିପାରିଛି।”
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, “ଜାତୀୟ ରାଜପଥର ନେଟୱାର୍କ ୧.୬ ଗୁଣା ବୃଦ୍ଧି ହୋଇଛି । ୨୦୧୪ ରେ, ୯୧,୨୮୭ କିଲୋମିଟର ଲମ୍ବା ଜାତୀୟ ରାଜପଥ ଥିଲା, ଯାହାକି ନଭେମ୍ବର ୨୦୨୪ ସୁଦ୍ଧା ୧,୪୬,୧୯୫ କିଲୋମିଟରକୁ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଭରତମାଲା ପ୍ରକଳ୍ପ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୩୪,୮୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେବ । ଏଥିମଧ୍ୟରୁ ୨୬,୪୨୫ କିଲୋମିଟର କାମ ବଣ୍ଟନ କରାଯାଇଛି ଯେଉଁଠାରେ ୧୮୭୧୪ କିଲୋମିଟର ରାଜପଥ କାମ ଶେଷ ହୋଇଛି । ଚୌଧୁରୀ କହିଛନ୍ତି, “ଦେଶରେ କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ୨୦୧୪ ରେ, ୭୪ ବିମାନବନ୍ଦରରୁ ବିମାନ ଚଳାଚଳ କରୁଥିବାବେଳେ ୨୦୨୪ ମସିହାରେ ଦେଶର ୧୫୮ ବିମାନବନ୍ଦରରୁ ବିମାନ ସେବା କାର୍ଯ୍ୟ କରୁଛି ।
ରେଳବାଇ ବିଷୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ରେଳ ମାର୍ଗର ୯୭ ପ୍ରତିଶତ ବିଦ୍ୟୁତକରଣ କରାଯାଇଛି । ସଡ଼କ, ରେଳ ଏବଂ ବିମାନ ନେଟୱାର୍କର ମଜବୁତ ହେବା ସହିତ ଦେଶରେ ଅର୍ଥନୈତିକ ବିକାଶର ଗତି କେବଳ ତ୍ୱରାନ୍ୱିତ ହୋଇନାହିଁ, ବରଂ ସ୍ଥାନୀୟ ସ୍ତରରେ ମୌଳିକ ସୁବିଧା ମଧ୍ୟ ଉନ୍ନତ ହୋଇଛି ଏବଂ ସାଧାରଣ ଲୋକମାନେ ଏଥିରୁ ସିଧାସଳଖ ଉପକୃତ ହେଉଛନ୍ତି ।
ବଜେଟରେ ପୁଞ୍ଜି ବ୍ୟୟର ସମ୍ଭାବନା ଉପରେ ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ବଜେଟ୍ ଆବଣ୍ଟନ କରୁଛନ୍ତି ଏବଂ ୨୦୨୫-୨୬ ବଜେଟରେ ମୁଁ ମଧ୍ୟ ଏହା ଜାରି ରଖିବି ବୋଲି ସେ କହିଛନ୍ତି ।