Latest Odisha News

କାର୍କେଡ୍‌କୁ ରୋକିଲେ ସୁରକ୍ଷାକର୍ମୀ: ସରକାର ଅଟକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣି ଦୁର୍ଭାଗ୍ୟପୂର୍ଣ୍ଣ କହିଲେ ରାହୁଲ

ଇମ୍ଫାଲ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଯାଇଥିବା ତାଙ୍କ କାର୍କେଡ୍‌କୁ ଅଟକାଯାଇଛି। ରାହୁଲଙ୍କ କାର୍କେଡ୍‌ ଇମ୍ଫାଲ୍‌ରୁ ଅଶାନ୍ତ ଚୁରାଚାନ୍ଦପୁରକୁ ଯାଉଥିବା ବେଳେ ସୁରକ୍ଷା କାରଣରୁ ତାଙ୍କ କାର୍କେଡ୍‌କୁ ଅଟକାଇବା ସହିତ ତାଙ୍କୁ ଫେରିଯିବାକୁ କହିଛନ୍ତି ସୁରକ୍ଷା କର୍ମୀ। ଘଟଣାକୁ କଡ଼ା ନିଦ୍ଦା କରିଛନ୍ତି ରାହୁଲ ଗାନ୍ଧୀ।  ମଣିପୁର ସରକାରଙ୍କୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କାର୍କେଡ୍ ଅଟକିବା ପରେ ରାହୁଲ ଗାନ୍ଧୀ ହେଲିକପ୍ଟର ଯୋଗେ ହିଂସାପ୍ରମଣ ଜିଲ୍ଲା ରେ ପହଞ୍ଚିବା ସହ ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଘଟଣା ସମ୍ପର୍କରେ ରାହୁଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଲୋକେ ତାଙ୍କୁ ତାଙ୍କ ପାଖକୁ ଦୁଃଖ କହିବାକୁ ଆସୁଥିବା ବେଳେ ମଣିପୁର ସରକାର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଛନ୍ତି ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି।

ଏନେଇ ରାହୁଲ ଟ୍ୱିଟ୍ କରିଛନ୍ତି “ମୁଁ ମଣିପୁରର ମୋର ସମସ୍ତ ଭାଇ ଓ ଭଉଣୀଙ୍କ କଥା ଶୁଣିବାକୁ ଆସିଛି | ସମସ୍ତ ସମ୍ପ୍ରଦାୟର ଲୋକମାନେ ସ୍ୱାଗତ କରିବା ସହ ଭଲ ପାଉଛନ୍ତି। ହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ଯେ ସରକାର ମୋତେ ଅଟକାଉଛନ୍ତି । ଶାନ୍ତି ଆମର ଏକମାତ୍ର ପ୍ରାଥମିକତା ହେବା ଉଚିତ୍।”

ରାହୁଲ ଚୁରାଚାନ୍ଦପୁର ରିଲିଫ କ୍ୟାମ୍ପ ଯାଇ ସେଠାରେ ଲୋକମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ଶୁଣିଥିଲେ। ସେ ସେଠାରେ ଥିବା ଏକ ବିଦ୍ୟାଳୟରେ ସ୍ଥାପିତ ରିଲିଫ୍ କ୍ୟାମ୍ପରେ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ।

ତେବେ ରାହୁଲ ଗାନ୍ଧୀଙ୍କର ମୋଇରାଙ୍ଗ ଗସ୍ତକୁ ବାତିଲ ହୋଇଯାଇଛି। ଏନେଇ ମଣିପୁର କଂଗ୍ରେସ ସଭାପତି କିଶମ ମେଘଚନ୍ଦ୍ର କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ମୋଇରାଙ୍ଗ ଗସ୍ତକୁ ବାତିଲ କରିଦିଆଯାଇଛି। ଆକାଶ ମାର୍ଗ କିମ୍ବା ସଡ଼କ ମାର୍ଗରେ ପ୍ରଶାସନ ତାଙ୍କୁ ମୋଇରାଙ୍ଗକୁ ଆସିବାକୁ ଅନୁମତି ଦେଲେ ନାହିଁ। ସେ କେବଳ ଚୁରାଚାନ୍ଦପୁରରେ ହିଁ ପ୍ରଭାବିତ ଲୋକଙ୍କୁ ଭେଟିଲେ। ” ଏବେ ରାହୁଲ ଇମ୍ଫାଲକୁ ଫେରୁଛନ୍ତି। ସେଠାରେ ସେ ରାତ୍ରି ଯାପନ କରିବେ। ତେବେ ଆସନ୍ତାକାଲି ତାଙ୍କ ଗସ୍ତ ବିଷୟରେ କିଛି କୁହାଯାଇପାରିବ ନାହିଁ। ବୋଲି କିଶମ ମେଘଚନ୍ଦ୍ର କହିଛନ୍ତି।

Comments are closed.