Latest Odisha News

ବଜେଟ୍ ୨୦୨୨: ଏମଏସପି ପାଇଁ ୨.୩୭ ଲକ୍ଷ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ କୃଷି ବିକାଶ ଲାଗି ଆଖି ଦୃଶିଆ ନ ହେଲେ ବି ଚାଷ ଓ ଚାଷୀଙ୍କ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ବର୍ଷରେ କୃଷି କ୍ଷେତ୍ର ପାଇଁ ଡ୍ରୋନ୍ ବ୍ୟବହାର ଉପରେ କେନ୍ଦ୍ର ସରକାର ଅଧିକ ଧ୍ୟାନ ଦେବାକୁ ଯାଉଛନ୍ତି । ବହୁ ବର୍ଷ ଧରି ଆର୍ଥିକ ସଙ୍କଟ ଏବଂ ଦୁଃଖରେ ଜୀବନଜାବପ କରୁଥିବା କୃଷକମାନଙ୍କ ପାଇଁ ସରକାର ଅନେକ ଦିଗରେ କାର୍ଯ୍ୟ କରିବାକୁ ଯାଉଛନ୍ତି । ଫସଲ ମୂଲ୍ୟାଙ୍କନ, ଜମି ରେକର୍ଡର ଡିଜିଟାଇଜେସନ୍, କୀଟନାଶକ ଏବଂ ପୁଷ୍ଟିକର ଖାଦ୍ୟ ସ୍ପ୍ରେ କରିବା ପାଇଁ କୃଷକ ଡ୍ରୋନର ବ୍ୟବହାର କଲେ ଲାଭଦାୟକ ହେବ ବୋଲି ସେ କହିଛନ୍ତି।

ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ଗହମ ଓ ଧାନ କିଣିବା ଲାଗି ସରକାର ୨.୩୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ରଖିଛନ୍ତି। ୨୦୨୨-୨୩ ବର୍ଷକୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ଘୋଷଣା ହୋଇଛି। ଏମଏସଏମଇ ଓ କ୍ଷୁଦ୍ରଚାଷୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ପରିବହନ ଲାଗି ଭାରତୀୟ ରେଳ ନୂତନ ବ୍ୟବସ୍ଥା ବିକଶିତ କରିବ। ଖାଇବା ତେଲ ଆମଦାନି କମାଇବା ଲାଗି ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ଲାଗି ଏକ ପ୍ରୋତ୍ସାହନମୂଳକ ଯୋଜନା ହାତକୁ ନେବେ। କ୍ଷେତରେ କୀଟନାଶକ ପ୍ରୟୋଗ, ଜମି ମାପଚୁପ, ଶସ୍ୟ ପରିମାଣ ଆକଳନ ଲାଗି ‘କିଷାନ୍ ଡ୍ରୋନ୍’ ଉପଯୋଗ ହେବ। ନଦୀ ସଂଯୋଗ ଯୋଜନାରେ ୫ଟି ନଦୀର ସଂଯୋଗ ଲାଗି ଚିଠାପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। କେନ୍ ବେଟୱା ନଦୀ ସଂଯୋଗ ପ୍ରକଳ୍ପ ଲାଗି ୪୪,୬୦୫ କୋଟି ବ୍ୟୟ ବରାଦ ରହିଛି। ଗଙ୍ଗା କରିଡରରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦିଆଯିବ। ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ କୃଷିଜାତ ସାମଗ୍ରୀ କ୍ରୟ ସମୟରେ ଇ-ବିଲ୍ ବ୍ୟବସ୍ଥା ଲାଗୁ ହେବ। ସଂପୂର୍ଣ୍ଣ କାଗଜ ମୁକ୍ତ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ଯେଉଁ କୃଷକମାନେ ଏଗ୍ରୋ-ଫରେଷ୍ଟ୍ରିକୁ ଗୁରୁତ୍ବ ଦେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଆଜି ବଜେଟ୍ରେ ଉପସ୍ଥାପିତ ହୋଇଛି ।

Comments are closed, but trackbacks and pingbacks are open.