Latest Odisha News

ଓଡ଼ିଶା ଗସ୍ତ ପୂର୍ବରୁ ମୋଦୀ ଦୋହରାଇଲେ ଏଥର ଓଡ଼ିଶାରେ ବିଜେପି ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ହେଲେ ଗସ୍ତ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇ (ANI)କୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦୀ ନିଜ ପୁରୁଣା କଥାକୁ ଦୋହରାଇଛନ୍ତି। ସେ କହିଛନ୍ତି ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ନେବେ ଶପଥ। ଓଡ଼ିଶାର ବଦଳିବ ଭାଗ୍ୟ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। କୌଣସି ପ୍ରଗତି ମଧ୍ୟ ହୋଇନି। ସବୁଠୁ ଚିନ୍ତାର ବିଷୟ, ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକ୍ତ ହେଲେ ଓଡ଼ିଶା ସମୃଦ୍ଧ ହେବ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ।

ଓଡ଼ିଶାର ଅସ୍ମିତା ଏବେ ସଂକଟରେ। ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, କିନ୍ତୁ ଲୋକେ ଗରିବ। ଏଥିପାଇଁ ରାଜ୍ୟ ସରକାର ଦାୟୀ, ଲୋକଙ୍କୁ ନ୍ୟାୟ ମିଳୁନି। ଏଣୁ ଓଡ଼ିଶାବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି । ଜୁନ୍ ୪ରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ରହିଛି । ସେହିଭଳି ଜୁନ୍ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସଂରକ୍ଷଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ବିରୋଧୀ । ଭୋଟ୍ ବ୍ୟାଙ୍କ ନାଁରେ ଦଳିତ, ଆଦିବାସୀଙ୍କୁ ଲୁଟାଯାଉଛି। ଦଳିତଙ୍କ ବନ୍ଧୁ କହୁଥିବା ବିରୋଧୀ ପ୍ରକୃତରେ ସେମାନଙ୍କ ଶତ୍ରୁ।

ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ନେଇ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ମୋଦୀ କହିଛନ୍ତି, ‘ସବୁ ରାଜନୈତିକ ନେତାଙ୍କ ସହ ମୋ ସମ୍ପର୍କ ଭଲ। ମୋ ପାଇଁ ପ୍ରଶ୍ନ ଥିଲା ସମ୍ପର୍କକୁ ଭଲ ରଖିବି, ନାଁ ଓଡ଼ିଶାର ଭାଗ୍ୟ କଥା ଚିନ୍ତା କରିବି। ଓଡ଼ିଶାର ଉଜ୍ବଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରାସ୍ତା ବାଛିଲି। ଏଥି ପାଇଁ ଯଦି ମୋ ସମ୍ପର୍କକୁ ବଳି ଚଢ଼ାଇବାକୁ ପଡ଼େ, ମୁଁ ପ୍ରସ୍ତୁତ।’

ଏହାପୂର୍ବରୁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଥିବା ବେଳେ ମଧ୍ୟ ସମାନ କଥା କହିଥିଲେ। କେବଳ ଏତିକି ନୁହେଁ ଓଡ଼ିଶାରୁ ନବୀନ ସରକାର ବିଦାୟ ନେବ ବୋଲି ସ୍ପଷ୍ଟ ଭାବେ କହିଥିଲେ। ସୂଚନା ଥାଉକି ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ଓଡ଼ିଶା ଗସ୍ତ ପୂର୍ବରୁ ପୁଣିଥରେ ବିଜେପି ସରକାର ଗଠନ ନେଇ ମୋଦୀ ଦମ୍ଭୋକ୍ତି ଦେଖାଇବା ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି।

Comments are closed.