ଭୁବନେଶ୍ୱର: ରାଜ୍ୟ ପୋଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା, କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନ କନଭେନସନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ପଦକ ପ୍ରଦାନ କରିଛନ୍ତି।
ଏଥିରେ ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଓ ୧୦ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ୧୫ଜଣଙ୍କୁ ‘ରାଜ୍ୟପାଳ ପୋଲିସ୍ ପଦକ’ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ୍ ପଦକ’ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି।
୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୨ଜଣ ଅଗ୍ନିଶମ ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଥିବା ବେଳେ ୪ଜଣଙ୍କୁ‘ପ୍ରଶଂସନୀୟ ସେବା ପଦକ’ ପ୍ରଦାନ କରାଯାଇଛି। ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ଗୃହରକ୍ଷୀ ସେବା ନିମନ୍ତେ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ପଦକ’ ଏବଂ ଜଣଙ୍କୁ ‘ରାଷ୍ଟ୍ରପତି ପ୍ରଶଂସନୀୟ ସେବା ପଦକ’ ପ୍ରଦାନ କରାଯାଇଛି। ସେହିପରି ବେସାମରିକ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।
୨୦୨୦ ସ୍ୱାଧୀନତା ଦିବସ ପାଇଁ ଅଗ୍ନିଶମ ସେବା କ୍ଷେତ୍ରରେ ସାହସିକତା ପାଇଁ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ସାହସିକତା ପଦକ’ ପ୍ରଦାନ କରାଯାଇଥିବା ବେଳେ ୨ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ୬ଜଣଙ୍କୁ ‘ପ୍ରଶଂସନୀୟଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଛି। ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବାରେ ପ୍ରଶଂସନୀୟ ସେବା ନିମନ୍ତେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ୪ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଜଣଙ୍କୁ ବିଶିଷ୍ଟ ସେବାନିମନ୍ତେ ‘ରାଷ୍ଟ୍ରପତି ପଦକ’ ପ୍ରଦାନ କରାଯାଇଛି।
୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ’ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ’ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି।
୨୦୨୦ ସ୍ୱାଧୀନତା ଦିବସ ଅବସରରେ ୨ ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ’ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ୨ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ’ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି।
ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉପସ୍ଥିତ ରହି ସମସ୍ତଙ୍କୁ ଏହି ପଦକ ଦାନ କରିଥିଲ। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା, ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ରଞ୍ଜନ କୁମାର ସିଂହ, ଡିଜି-ପୋଲିସ ସୁନୀଲ କୁମାର ବଂଶଲ, ଡିଜି-ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡ.ସୁଧାଂଶୁ କୁମାର ଷଡଙ୍ଗୀ, ଡିଜି-କାରାଗାର ଓ ସଂସ୍କାର ସେବା ମନୋଜ କୁମାର ଛାବ୍ରାଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।
Comments are closed.