Latest Odisha News

ରାଉଲକେଲା ବିମାନବନ୍ଦରର ଅପାରଗତା, ଓହ୍ଲାଇ ପାରିଲେନି ରାଜ୍ୟପାଳ

ରାଉଲକେଲା: ବାତିଲ୍ ହେଲା ରାଜ୍ୟପାଳଙ୍କ ରାଉଲକେଲା ଗସ୍ତ । ରାଉଲକେଲା ବିମାନବନ୍ଦରର ଅପାରଗତା ଯୋଗୁଁ ରାଉଲକେଲା ମାଟିରେ ଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ଏୟାରକ୍ରାଫ୍ଟ ।

ତେବେ ଗତ ରବିବାର ରାଜ୍ୟପାଳ ରଘୁବର ଦାସ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ପାଗ ଏତେ ଖରାପ ଥିଲା ଯେ କିଛି ଦୃଶ୍ୟମାନ ନହେବାରୁ ରାଉଲକେଲା ବିମାନବନ୍ଦରରେ ଓହ୍ଲାଇପାରିନଥିଲା ରାଜ୍ୟପାଳଙ୍କ ଏୟାରକ୍ରାଫ୍ଟ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରବିବାର ପ୍ରାୟ ସକାଳ ୧୦ ଟାରୁ ସାଢେ ୧୦ଟା ଭିତରେ ରାଉଲକେଲା ବିମାନବନ୍ଦରରେ ରାଜ୍ୟପାଳଙ୍କ ଏୟାରକ୍ରାଫ୍ଟ ପହଞ୍ଚିଥିବା ବେଳେ ଅବତରଣ ନକରି ଫେରିଆସିଥିଲା । ଏମିତିକି ଝାରୁସୁଗୁଡାରେ ଅବତରଣ କରିବା ପାଇଁ ଯୋଜନା ମଧ୍ୟ କରାଯାଇଥିଲା । ହେଲେ ବିମାନ ଚାଳକଙ୍କ ପରାମର୍ଶ ଅନୁଯାୟୀ, ସ୍ଥିତି ବିପଦପୂର୍ଣ୍ଣ ହୋଇଥିବାରୁ ପୁଣି ଭୁବନେଶ୍ବର ଫେରିଆସିଥିଲା ବିମାନ ।

ସେପଟେ ଏହି ଘଟଣାଟି ବିମାନବନ୍ଦର ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଦ୍ୱାରା ପରିଚାଳିତ ତଥା ଏସଏଆଇଏଲର ମାଲିକାନାରେ ଚାଲିଥିବା ରାଉଲକେଲା ବିମାନବନ୍ଦରର ଅପାରଗତାକୁ ଦର୍ଶାଇଛି । କାରଣ ରାଉଲକେଲା ସହରର ବିମାନବନ୍ଦରରେ ପାଣିପାଗ ସ୍ଥିତି ଦେଖି ଅବତରଣ ଯନ୍ତ୍ରପାତି ବ୍ୟବସ୍ଥା (ଆଇଏଲ୍ଏସ୍) ଏବଂ ରାତ୍ରି ଅବତରଣ ପାଇଁ ସୁବିଧା ନାହିଁ | ଯାହାଯୋଗୁଁ ଏଭଳି ଘଟଣା ଅନେକ ଥର ଘଟିଛି । ତେବେ ବିମାନବନ୍ଦରଟି ଏବେ ଏଆରସି ୨ସି ସାର୍ଟିଫିକେସନ ଅଧୀନକୁ ଆସିଛି । ଏହି କିଛିଦିନ ହେବ ଏଠି ଭିଏଫଆର ବା ବିମାନ ଦୃଶ୍ୟମାନତା ନିୟମ ଲାଗୁ ଅନୁମତି ମିଳିଛି । ଯାହା ଦ୍ବାରା ଏହା ସର୍ବନିମ୍ନ ୨୮ଶହ ମିଟର ଦୃଶ୍ୟମାନତା ସହିତ କାର୍ଯ୍ୟ କରିପାରିବ ।

ତେବେ ଗତବର୍ଷ ଜାନୁୟାରୀରେ ଆରସିଏସ୍-ଉଡାନ ପଦକ୍ଷେପ ଅନୁଯାୟୀ, ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିଲା । ଯେଉଁଥିରେ ଭୁବନେଶ୍ୱରକୁ ଦୈନିକ ବିମାନ ଉଡାଣ ସହିତ କୋଲକାତାକୁ ସପ୍ତାହରେ ତିନିଥର ବିମାନ ଚଳାଚଳର କାର୍ଯ୍ୟକ୍ରମ ରହିଥିଲା । ହେଲେ ବିଭିନ୍ନ ସୁବିଧା ଅଭାବରୁ ଅନେକ ବିମାନର ବାତିଲ୍ ଏହି ଭଳି ଜାରି ରହିଛି ।

Comments are closed.