ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
କେଇ ମାସ ତଳେ ମୋର ଜଣେ ସହକର୍ମୀଙ୍କ ବାହାଘର ପ୍ରସ୍ତାବଟେ ଆସିଲା । ମତେ ସାଙ୍ଗରେ ଝିଅ ଦେଖିବାକୁ ଯିବାକୁ ପଡ଼ିଲା । ମୁଁ ମୋ ଜୀବନରେ ଝିଅ ଦେଖିବାକୁ ଥରେ ଯାଇଛି ଆଉ ତା’ପରେ ଯିବିନି ବୋଲି ନିଷ୍ପତ୍ତି ନେଇଛି । ନିଜ ବାହାଘରରେ ବି ମୁଁ ଝିଅ ଦେଖି ନଥିଲି । ହେଲେ କଥାଟି ତାହା ନୁହେଁ । ଝିଅ ଦେଖା ସରିଲା । ଚାହା, ବିସ୍କୁଟ, ଆଳୁଚପ, ଆପଲ୍ ଖାଇଲୁ । ମୋ ସହକର୍ମୀଙ୍କର ବି ଝିଅ ପସନ୍ଦ ହେଉଥାଏ ବୋଲି ମନେ ହେଲା । ଠିକ ଉଠିଲା ବେଳକୁ ଝିଅର ମାଆ ଆସି ବସିଲେ । କେତେ କଥା ହେଲେ । ଆଉ ଶେଷକୁ ପଚାରିଲେ- ଆପଣଙ୍କ ଚାକିରି ପରମାନେଣ୍ଟ ନା କଣ୍ଟ୍ରାକ୍ଟ? ସହକର୍ମୀ କହିଲେ- ଠିକା । ତା’ପରେ ସେ ଝିଅର ମାଆଙ୍କ ମୁହଁର ଅବସ୍ଥା ଦେଖି ମୁଁ ବୁଝିଗଲି ସେ ବାହାଘର କରିବାକୁ ଇଚ୍ଛୁକ ନୁହଁନ୍ତି । ସ୍ଥାୟୀ ଚାକିରି ତାଙ୍କର ନିହାତି ଦରକାର ବୋଲି ଲାଗିଲା । କାରଣ- ତାଙ୍କର ଦୁଇ ଜଣ ପୁଅ ଆର୍ମିରେ ସ୍ଥାୟୀ ଚାକିରି କରୁଛନ୍ତି ।
ଠିକା ଓ ଆଉଟସୋର୍ସିଂ ଚାକିରିକୁ ନେଇ ରାଜ୍ୟରେ ଅନେକ କଥା ଉଠିଛି । ରାଜ୍ୟରେ ବେକାରୀ ବଢୁଥିବା ବେଳେ ସରକାର ଠିକା ଚାକିରି ଦେଇ ଯୁବକମାନଙ୍କୁ ଭଣ୍ଡାଇବାରେ ଲାଗିଛନ୍ତି । ଏ ଚାକିରିରେ ନା ସ୍ଥାୟିତ୍ୱ ଅଛି ନା ଏ ଚାକିରି କଲେ, ଜୀବନରେ ବି ସ୍ଥାୟୀ ବୋଲି କିଛି ହେବ । ଜଣେ ପାନ ଦୋକାନ କଲେ, ଯେତିକି ପଇସା ପାଇ ଥାଆନ୍ତା, ତା’ଠାରୁ ଢେର କମ ଦରମାରେ ସରକାରୀ ଚାକିରି ଖଣ୍ଡେ ଦେଇ ଯୁବକମାନଙ୍କୁ ବେଠି ଖଟାଇବାଠାରୁ ନିକୃଷ୍ଟ ଉଦାହରଣ ଆଉ କିଛି ନ ଥାଇପାରେ ।
ତେବେ ଯେତେବେଳେ ରାଜ୍ୟର ଠିକା ଓ ଆଉଟସୋର୍ସିଂ ଚାକିରିଆମାନେ ତାଙ୍କ ଚାକିରି ସର୍ତ୍ତାବଳୀ ଓ ସମାନ କାମକୁ ସମାନ ଦରମା ନେଇ ଡିଜିଟାଲ ଆନ୍ଦୋଳନ କରିଛନ୍ତି, ସେଇ ସମୟରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୭ ଜୁଲାଇ ୨୦୨୦ରେ ପ୍ରକାଶିତ ଏକ ସରକାରୀ ନିର୍ଦ୍ଦେଶନାମାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ସେଥିରେ କହିଛନ୍ତି- ଚାକିରିରେ ଦରମା, ସ୍ଥାୟିତ୍ୱ କିମ୍ବା ଚାକିରି ସର୍ତ୍ତାବଳୀ ଆଦି ନେଇ କେହି ସାମାଜିକ ଗଣମାଧ୍ୟମରେ କିଛି ବି ପ୍ରକାଶ କରିପାରିବେ ନାହିଁ । ଯଦି ଏହା କଲେ, ତେବେ ସରକାରୀ ଆଇନର ଉଲ୍ଲଂଘନ ବୋଲି ଜଣାପଡ଼ିବ ଓ ତାଙ୍କର ଚାକିରି ଚାଲି ଯାଇପାରେ ।
ଏହାଠାରୁ ଭୟଙ୍କର ନିର୍ଦ୍ଦେଶନାମା ଓ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ଧମକେଇବାର ଖରାପ ଉପାୟ ଆଉ କିଛି ନ ଥାଇପାରେ । ସେମାନେ ବର୍ଷ ବର୍ଷ ହେଲାଣି ବେଠି ଖଟୁଛନ୍ତି । ୮ ହଜାର, ୧୦ ହଜାର ଟଙ୍କାରେ ଚାକିରି କରୁଛନ୍ତି ଆଉ ଏହାକୁ ନେଇ ଯଦି ସ୍ୱର ଉଠାଇଲେ, ତେବେ ଚାକିରି ନେବାର ଧମକ ଦିଆଯାଉଛି । ଏହା ଘୋର ନିନ୍ଦନୀୟ ଓ ସବୁସ୍ତରରୁ ଏହାର ବିରୋଧ ହେବା ଦରକାର । ଏହା ସେମାନଙ୍କର ମୌଳିକ ଅଧିକାରର ବିରୋଧରେ । କିନ୍ତୁ ଓଡ଼ିଶାରେ ତ ମାମଲା ଅଲଗା ପ୍ରକାର । ଯଦି ମହଙ୍ଗା ଭତ୍ତା ଟିକିଏ ବିଳମ୍ବରେ ମିଳିଲା, ତେବେ ସ୍ଥାୟୀ ଚାକିରିଆମାନେ ଆନ୍ଦୋଳନ ଉପରେ ଆନ୍ଦୋଳନ କରି ଚାଲିବେ । କିନ୍ତୁ ତାଙ୍କରି ଅଫିସରେ ବେଠି ଖଟୁଥିବା ଆଉ ଜଣେ କର୍ମଚାରୀଙ୍କ ପାଇଁ ସେମାନେ ସ୍ୱର ଉଠାଇବା କେବେ ବି ଦେଖିବାକୁ ମିଳିନାହିଁ । ପୁଣି ସରକାର ସେହି ସ୍ଥାୟୀ ଚାକିରିଆଙ୍କ ଆଗରେ ମୁଣ୍ଡ ନୁଆଁଇବେ ଓ ତାଙ୍କ ଦାବି ମାନିବେ । କିନ୍ତୁ ଠିକା କର୍ମଚାରୀଙ୍କୁ ଧମକ ଦେବେ । ଆଉ ଅନେକ କ୍ଷେତ୍ରରେ ଚାକିରିରୁ ବାହାର କରି ଦେବାର ବି ନଜୀର ଅଛି ।
ଏଇଠି ଗୋଟେ ଉଦାହରଣ ଦେଉଛି । ଠିକା ଚାକିରି ଜାମାନାରେ ଦିନେ ମୁଁ ଗୋଟେ ଜିଲ୍ଲାକୁ ଯାଇଥାଏ । ଜିଲ୍ଲାପାଳଙ୍କ ସହ ଆଲୋଚନା ଜାରି ଥାଏ । କେନ୍ଦ୍ରୀୟ ଯୋଜନାରେ ଠିକା ଭାବେ ନିଯୁକ୍ତି ପାଇ ଜଣେ ଯୁବକ ଆସି ଜିଲ୍ଲାପାଳଙ୍କୁ ଭେଟିଲେ । କାମରେ ଯୋଗଦେଲେ ବୋଲି ଜଣାଇଲେ । ସାହାଯ୍ୟ କାମନା କଲେ । ପାଖାପାଖି ୧୫ ମିନିଟର ଗପ । ତଥାପି ଜିଲ୍ଲାପାଳ ତାଙ୍କୁ ବସିବାକୁ କହୁ ନଥାଆନ୍ତି । ସେଇଠୁ ପଚାରିଲେ- ତୁମେ ତା’ହେଲେ କେତେ ଦରମା ପାଇବ କେନ୍ଦ୍ରରୁ ? ସେ ଯେତିକି ଅର୍ଥ କହିଲେ, ତାହା ଶୁଣି ଅଚାନକ ବିରକ୍ତ ହୋଇଗଲେ ଜିଲ୍ଲାପାଳ । ତାଙ୍କ ପାଟିରୁ ବାହାରି ଆସିଲା- କଣ ବକୁଟେ ପିଲା, ଚାକିରି ଠିକା ଆଉ ଜିଲ୍ଲାପାଳଙ୍କଠାରୁ ଜିଲ୍ଲାରେ ଅଧିକ ଦରମା ପାଇବ ? ତମେ ସବୁଦିନେ ମତେ ରେସ୍ ଅଫିସ୍ରେ ରିପୋର୍ଟ କରିବ । କେମିତି ମାନସିକା ଆପଣ ଦେଖନ୍ତୁ ।
ଯୋଉ ଜମାନାରେ ଆମେ ସବୁ ପିଜି ପାସ୍ କରିଗଲୁ, ସେଇ ସମୟରେ ନିୟମିତ ଚାକିରି ପ୍ରାୟ ବାହାରିଲାନି । ଯଦି ବାହାରିଲା, ଆମ ଯୋଗ୍ୟତା ନଥିଲା ବୋଲି ଆମେ ପାଇଲୁନି । ତା’ପରେ ଆରମ୍ଭ ହେଲା ସାମ୍ବାଦିକତା । ଆ’ମାନେ ନୁହେଁ ଯେ, ନିୟମିତ ଚାକିରି ମିଳିଲାନି ବୋଲି ମୁଁ ସାମ୍ବାଦିକତାକୁ ଗଲି । ବରଂ ସାମ୍ବାଦିକତା ମୋର ପ୍ରଥମ ଭଲ ପାଇବା । ମୋ ଜୀଇଁବାର ଗୋଟେ ମସ୍ତବଡ଼ କାରଣ ।
ଏଥର ପୁଣି ମୂଳ ପ୍ରସଙ୍ଗକୁ ଫେରିବା । ଯୋଉ ବିଭାଗକୁ ଆପଣ ଆଖି ପକେଇବେ, ସେଠି ଠିକା ଚାକିରିରେ କର୍ମଚାରୀ ଭରପୁର । ଗଣଶିକ୍ଷା, ସ୍ୱାସ୍ଥ୍ୟ ବା ଯେଉଁ ବିଭାଗ ଆପଣଙ୍କ ଆଖିକୁ ଆସୁଛି । ସ୍କୁଲ ମାଷ୍ଟର ସବୁଦିନେ ଆସି ବିଧାନସଭା ରାସ୍ତାରେ ବସିଥିବେ । ବର୍ଷରେ ଯୋଉଦିନ ଅନେଇବେ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଠିକା ସ୍କୁଲ ମାଷ୍ଟର୍ ନ ହେଲେ ଠିକା କଲେଜ ଅଧ୍ୟାପକ ଧାରଣାରେ ବସିଥିବେ । ଦାବି ବି ଯୁକ୍ତିଯୁକ୍ତ- ସେତିକି ପଇସାରେ ବଂଚିବାଟା ମୁସ୍କିଲ୍ । ସୁପ୍ରିମକୋର୍ଟ ପରା କେବେଠାରୁ କହି ସାରିଛି ସମାନ କାମକୁ ସମାନ ଦରମା । ତେବେ ଏତେ ପାତରଅନ୍ତର କାହିଁକି ?
ଠିକା କର୍ମଚାରୀ ବିଚରା ସବୁକାମ କରିବ । ଆବଶ୍ୟକତାଠୁ ଅଧିକ କାମ କରିବ । କାରଣ- ନ ହେଲେ ତା’ର ଚାକିରି ଯିବାର ଭୟ ଅଛି । ଆଉ ଗୋଟେ ଦିଗକୁ ବି ଏଇଠି ଦେଖିବା । ଯୋଉଠି ଠିକା କର୍ମଚାରୀ ଅଛନ୍ତି, ତାଙ୍କୁ ସଂପୃକ୍ତ କାର୍ଯ୍ୟାଳୟ ବା ଅନୁଷ୍ଠାନ ଇଚ୍ଛା ଅନୁସାରେ କାମରେ ଲଗାଏ । ବେଳେ ବେଳେ ସବୁଠାରୁ ଗୋପନୀୟ କାମ ଧରେଇ ଦିଆଯିବ କରିବାକୁ । ଆଉ ଯେତେବେଳେ ଉପର ଅଧିକାରୀଙ୍କ ବସ୍ ଆସିଯିବେ ଛବିକୁ- ସେତେବେଳେ କିଛି ବି ଗୋପନୀୟ ନଥିଠାରୁ ଜାଣିଶୁଣି ଦୂରେଇ ରଖାଯିବ । କୁହାଯିବ- ଏମାନେ ପରା ଠିକା । ହେଇ ଚାକିରି ଅଛି । ହେଇ ଚାକିରି ନାଇଁ । ଏମାନେ କଣଟା କରିବେ ?
ସମାନ ଦରମା ଏମାନଙ୍କ ପାଇଁ ସ୍ୱପ୍ନ । ସମାନ ସୁବିଧା ସୁଯୋଗ ବି ଦିଆଯିବନି । ଖାଲି- କାମ କରି ଚାଲ । ଫଳ ଆଡ଼େ ଆଶା ରଖନି । ଆଉରି ଗୋଟେ ଉଦାହରଣ ଦେଇଛି । କିଛି ବର୍ଷ ତଳେ ଗୋଟେ ପ୍ରତିଷ୍ଠାନରେ ମୁଁ କାମ କରୁଥିଲି । ସେଇଠି ଠିକା କର୍ମଚାରୀଙ୍କୁ କୁହାଯିବ- ପ୍ରତିଦିନ ହାଜିରା ଦିଅ । ଦସ୍ତଖତ କର । ଏସବୁ କରିବା ନିହାତି ଦରକାର । ସେଥିରେ ଦ୍ୱିମତ ନାହିଁ । କିନ୍ତୁ ନିୟମିତ କର୍ମଚାରୀଙ୍କ ପାଖକୁ ହାଜିରା ଖାତା ମାସ ଶେଷରେ ଯିବ । ସେ ଏକାଥରେ ମାସିକିଆ ଦସ୍ତଖତ ମାରିବେ । ଇଏ କୋଉ ନିୟମ ?
ଠିକା ଚାକିରି କାଳରେ ଅନ୍ୟ ଆଡ଼େ ଚାକିରି ପାଇଁ ଆବେଦନ କରିବା ବି ସତେ ଯେମିତି ଗୋଟାଏ ପାପ । ସେ ଆବେଦନପତ୍ର ବହୁ କଷ୍ଟରେ ସୁପାରିଶ କରାଯିବ । ଅଭିଜ୍ଞତା ପ୍ରମାଣପତ୍ର ମିଳିବନି । ଋଣ ପାଇଁ ଦରମା ସଂପର୍କତ ପ୍ରମାଣପତ୍ର ମିଳିବନି । ଋଣ ପାଇଁ ବ୍ୟାଙ୍କ ସଫା ମନା କରିବ । ହଜାରେ କାଗଜ ମାଗିବ । ଯାହା ଅଫିସ ଦେବନି । ଏବେ ତ ନିୟମିତବାଲା ଆହୁରି ଚାଲାଖ ହୋଇଗଲେଣି । ସେମାନେ ବ୍ୟାଙ୍କ ଖାତାକୁ ତ ଠିକା କର୍ମଚାରୀଙ୍କ ଦରମା ପଠେଇ ଦେବେ । କିନ୍ତୁ ‘ଦରମା’ (ସାଲାରୀ) ଲେଖିବେନି । କେତେବେଳେ ଲେଖିବେ ‘ୱେଜେସ୍’ (ମଜୁରୀ), କେତେବେଳେ ଲେଖିବେ ଅନରାରିଅମ୍ । ଆଉ କେତେବେଳେ ଖାଲି ବିନା କିଛି ଲେଖାରେ ଦରମା ଯିବ ବ୍ୟାଙ୍କ ଖାତାକୁ ।
ଓଡି଼ଶାରେ ଚାଲୁଥିବା ଘୋର ବିଭେଦର ଆଉ କିଛି ଉଦାହରଣ ଦେଉଛି ।
୧) ରାଜ୍ୟରେ ଦୀର୍ଘ ଦିନ ଧରି ଗୋଟିଏ ସ୍ଥିର ସରକାର ରହିଛି । କିନ୍ତୁ ଆର୍ଥିକ ଅବସ୍ଥାରେ ଅବନତି କଣ ହେଲା ଯେ, ସରକାର ଠିକା ନିଯୁକ୍ତି ଆଇନ-୨୦୧୩ ଆଣି ପରବର୍ତ୍ତୀ ସମସ୍ତ ଗ୍ରୁପ-ବି, ସି ଓ ଡି ନିଯୁକ୍ତିକୁ ଠିକା କରିଦେଇଛନ୍ତି ? ଆଉ ଏକ ଉଦାହରଣ । ସମସ୍ତ ଶିକ୍ଷକ ୬ବର୍ଷ ଠିକା ଖଟୁଥିବା ବେଳେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ କଣ ପାଇଁ ଆରମ୍ଭ ଦିନରୁ ସ୍ଥାୟୀ । ପୁଣି ସେହି ଆଦର୍ଶ ବିଦ୍ୟାଳୟରେ ଥିବା କମ୍ପ୍ୟୁଟର ଶିକ୍ଷକ ଜଣଙ୍କ କଣ ପାଇଁ ଠିକା? ଯଦିଓ କମ୍ପ୍ୟୁଟର ଶିକ୍ଷକ ସଙ୍ଗୀତ ଓ କଳା ଶିକ୍ଷକଙ୍କ ଅପେକ୍ଷା ଢେର ଅଧିକ କାମ କରନ୍ତି ।
୨) ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ଷ୍ଟାଫ୍ ସିଲେକ୍ସନ କମିସନ, ସିଲେକ୍ସନ ବୋର୍ଡ ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ପୋଷ୍ଟିଂ ପାଇଥିବା ସମସ୍ତ ବିଭାଗର ଯୁବ କର୍ମଚାରୀମାନଙ୍କୁ ଦିନ ମଜୁରୀରୁ କମ୍ ପାରିଶ୍ରମିକରେ ସରକାର କାହିଁକି ବେଠି ଖଟାଉଛନ୍ତି?
୩) ଠିକା ନିଯୁକ୍ତି ଆଇନ-୨୦୧୩ ଅନୁସାରେ ସମସ୍ତଙ୍କୁ କେବଳ ସେହି ପଦବୀର ମୂଳ ଦରମା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସପ୍ତମ ବେତନ କମିସନରେ ଯେତେବେଳେ ସବୁ ପଦବୀର ମୂଳ ଦରମା ବଢ଼ିଲା, ସରକାର କାହିଁକି ୨୦୧୭ରେ ଅନ୍ୟାୟ ଭାବେ ଏକ ସଂଶୋଧନ କରି କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ଦରମାରୁ ବଞ୍ଚିତ କଲେ ?
୪) ଏହି ଠିକା ଚାକିରି ନିୟମ ଅନୁସାରେ ବର୍ତ୍ତମାନ ଜଣେ ଗ୍ରୁପ-ବି କର୍ମଚାରୀ ଯାହାଙ୍କର ଗ୍ରେଡ ପେ ୪୨୦୦ ଟଙ୍କା ହେବା କଥା ଓ ଦରମା ୧୭ପ୍ରତିଶତ ମହଙ୍ଗା ଭତ୍ତା ଅନୁସାରେ ୪୨,୦୯୩ଟଙ୍କା ହେବା କଥା । କିନ୍ତୁ ସରକାର ସେମାନଙ୍କୁ ମାତ୍ର ୧୬୮୮୦ ଟଙ୍କା ଦେଇ ଦୀର୍ଘ ବର୍ଷ ଗୋତି ଖଟାଇବାରେ ଲାଗିଛନ୍ତି ।
୫) ଏକା ନିୟମ ଅନୁସାରେ, ଗ୍ରୁପ-ସି କର୍ମଚାରୀ ଯାହାଙ୍କର ଗ୍ରେଡ ପେ ୧୮୦୦-୨୮୦୦ ଟଙ୍କା ହେବା କଥା ଓ ସେମାନେ ୨୧୪୦୦-୩୫୫୬୪ ଟଙ୍କା ପାଇବା ଉଚିତ । କିନ୍ତୁ ସେମାନଙ୍କୁ ୮୭୫୦-୧୦୦୦୦ ଟଙ୍କା ମାତ୍ର ଦିଆଯାଉଛି । ବାକି ଅର୍ଥ କୁଆଡ଼େ ଯାଉଛି ?
୬) ଆଜିକାର ମହଙ୍ଗା ଯୁଗରେ ସରକାର ନିଜେ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୩୮୮ ଓ ୪୪୮ ଟଙ୍କା ସ୍ଥିର କରିଥିଲେ ମଧ୍ୟ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଦ୍ୱାରା ସିଧାସଳଖ ଭାବେ ଚୟନ ହୋଇଥିବା ଶିକ୍ଷିତ କୁଶଳୀ କର୍ମଚାରୀମାନଙ୍କୁ ବେଆଇନ ଭାବେ ସର୍ବନିମ୍ନ ଦୈନିକ ମଜୁରୀରୁ କମ୍ ୮୦୭୦-୧୦୦୦୦ ଟଙ୍କା ଦେଉଛନ୍ତି । ଏହାକୁ ହିସାବକୁ ନେଲେ ଦୈନିକ ବେତନ ମାତ୍ର ୨୭୦-୩୩୩ ଟଙ୍କା ହେଉଛି । ଯାହାକି ସେମାନଙ୍କ ପଦବୀରେ କାମ କରୁଥିବା ନିୟମିତ କର୍ମଚାରୀମାନଙ୍କର ମୂଳ ଦରମାର ଅଧାରୁ ଆହୁରି କମ୍ ।
୭) ଏତେ ତାରତମ୍ୟ, ଏତେ ବିଭେଦ, ଏତେ ପାତରଅନ୍ତର, ଏତେ ଠକାମୀ ଠିକା ଚାକିରିଆମାନଙ୍କ କ୍ଷେତ୍ରରେ କାହିଁକି ?
୮) ସୁପ୍ରିମକୋର୍ଟଙ୍କ ନିୟମ କଣ ପାଇଁ ପାଳନ ହେଉ ନାହିଁ ? ସମାନ କାମକୁ ସମାନ ଦରମା କଣ ପାଇଁ ମିଳୁନି ?
ପ୍ରଥମ ପ୍ରସଙ୍ଗ ହେଉଛି- ନିୟମିତ ଚାକିରିଆଙ୍କ ମାନସିକତା । ସେମାନେ ନିଜକୁ ଠିକା ଚାକିରିଆଙ୍କଠାରୁ ଢେର ଉପରେ ବୋଲି ଦେଖନ୍ତି । ତେଣିକି କିରାଣୀ ହୋଇଥାଆନ୍ତୁ ପଛେ । ପିଅନ ହୋଇ ଥାଆନ୍ତୁ ପଛେ । କୋଉ ଗୋଟେ ସ୍କୁଲର ମ।ଷ୍ଟ୍ର ହୋଇ ଥାଆନ୍ତୁ ପଛେ । ସେ ମାନସିକତା ବଡ଼ ଅଜବ । ସେ ମାନସିକତା କୋଉଦିନର ପୁରୁଣାକାଳିଆ ଆଉ ଭେଦଭାବ ଭରା । ହେଲେ- ସେ ମାନସିକତା ହଟୁନି । ହଟିବ ବି ନାଇଁ ସହଜରେ । କାରଣ- ସରକାରୀ ଷ୍ଟାମ୍ପ୍ ତାଙ୍କ ଦେହରେ ବାଜିଛି । ଥରେ ଜଣେ ମତେ କହି ବି ଦେଲେ- ଠିକା ଚାକିରିଆଙ୍କ ପାଇଁ ‘ସାଲାରୀ’ ଶବ୍ଦ କେମିତି ବ୍ୟବହାର ହେବ ? କେମିତି ତାରତମ୍ୟ ଓ ଅନ୍ତର ଆପଣ ଭାବନ୍ତୁ ଏଥିପାଇଁ ବେଶି ଦାୟୀ ବି ସରକାର । କୌଣସି ରାଜ୍ୟର ହେଉ କିମ୍ବା କେନ୍ଦ୍ର ନିଜେ । ଠିକା କର୍ମଚାରୀଙ୍କ ସୁରକ୍ଷା ପାଇଁ କୌଣସି ଠୋସ୍ ନିୟମ ନାହିଁ । ନିୟମ ପ୍ରଣୟନ ଦିଗରେ କେହି ଚିନ୍ତା ବି କରୁ ନାହାନ୍ତି । ନିୟମିତବାଲା ଲହୁଣି ମାଡ଼ି ବସିଛନ୍ତି । ମୋର ଜଣେ ତ ଅନ୍ତରଂଗ ଲୋକ- ପ୍ରତି କଥାରେ ନିଜକୁ ସ୍ଥାୟୀ ଚାକିରିଆ କହେ ଓ ଅନ୍ୟମାନଙ୍କ କଥା କହିଲେ ସେ ବାରମ୍ବାର ଦୋହରାଏ- ସେମାନେ ଠିକା ମ ।
ଠିକା କର୍ମଚାରୀଙ୍କ ପାଇଁ ଭଲ ନିୟମ ସରକାର କାହିଁକି କରିବେ ଯେ ? ଏମିତିରେ ତ କାମ ଭଲରେ ଚଳୁଛି । ଠିକାମାନେ ନିୟମିତଙ୍କ ଅପେକ୍ଷା ଢେର ଭଲ କାମ କରୁଛନ୍ତି । ତେଣୁ ଚାଲୁଛି ଯଦି ଚାଲୁ । ବଦଳାଇବେ କାଇଁକି ? ଏତେ ଧନ୍ଦାରେ ପଶିବେ କାଇଁକି ? ଗୋତି ପ୍ରଥା ଜାରି ରହିଲେ ସରକାରଙ୍କର ହିଁ ଲାଭ ।
ଇମେଲ୍: jpm.iimc@gmail.com
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.