Latest Odisha News

BREAKING NEWS

ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ଖର୍ଚ୍ଚ

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି  । ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ଯାଏଁ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ବାବଦ ଖର୍ଚ୍ଚ ସିଧାଯିବ ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ । ଏହି ଅର୍ଥ ରାଶି ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମଧ୍ୟାହ୍ନ ଭୋଜନ ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ଗଙ୍ଗାଧର ସାହୁ ।

ନିଷ୍ପତ୍ତି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବାବଦରେ ୪୭୯ ଟଙ୍କା ୯୬ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବାବଦରେ ୭୧୭ ଟଙ୍କା ୧୬ ପଇସା ଅଭିଭାବକଙ୍କ ବ୍ୟାଙ୍କ ଖାତାରେ ଜମା ହେବ  । ଏନେଇ ବ୍ଲକ ଶିକ୍ଷା ଅଧିକାରୀମାନେ ସ୍କୁଲ୍ ଅନୁସାରେ ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟର ତାଲିକା ପ୍ରସ୍ତୁତ କରିବେ ।

ତାଲିକା ପାଇବା କ୍ଷଣି ଜିଲ୍ଲା ଶିକ୍ଷା ଅଧିକାରୀମାନେ ଟଙ୍କା ଜମା ନେଇ ଆବଶ୍ୟକ ପଦକ୍ଷେପ ନେବେ  । ଯେଉଁ ଅଭିଭାବକଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିବ ସେମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ପଇଠ କରିବେ ଧାର୍ଯ୍ୟ ଅର୍ଥରାଶି  । ସେହି ଅର୍ଥରାଶି ସ୍କୁଲ ଆକାଉଣ୍ଟରେ ତୁରନ୍ତ ଜମା କରିବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ରହିଛି  । ତେବେ ସ୍କୁଲରୁ ଟଙ୍କା ନେବା ସମୟରେ କରୋନା ଗାଇଡଲାଇନ ପାଳନ ଲାଗି କୁହାଯାଇଛି  । ପୂର୍ବରୁ ମାର୍ଚ୍ଚ ୧୬ରୁ ଜୁନ ୧୩ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କୁ ୯ କେ.ଜି. ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୧୩ କେ.ଜି. ୫ ଶହ ଗ୍ରାମ୍ ଲେଖାଏଁ ଚାଉଳ ପ୍ରଦାନ କରିସାରିଛନ୍ତି ସରକାର  ।

Leave A Reply

Your email address will not be published.