Latest Odisha News

BREAKING NEWS

LPG Supply Amid War: ଯୁଦ୍ଧ ଯୋଗୁଁ ଆସିପାରୁନି LPG;ତେଲ କମ୍ପାନୀଙ୍କୁ ସରକାରଙ୍କ କଡ଼ା ନିର୍ଦ୍ଦେଶ…

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏବେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶରେ ରୋଷେଇ ଗ୍ୟାସ ବା LPG ର ସଙ୍କଟକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ‘ଇମରଜେନ୍ସି ପାୱାର’ ବ୍ୟବହାର କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦେଶର ସମସ୍ତ ତେଲ ରିଫାଇନାରୀଗୁଡ଼ିକୁ ଏବେ ପ୍ରୋପେନ୍ ଏବଂ ବ୍ୟୁଟେନ୍ ର ବ୍ୟବହାର କେବଳ ରୋଷେଇ ଗ୍ୟାସ ପ୍ରସ୍ତୁତି ପାଇଁ କରିବାକୁ ହେବ। ଏହି ଗ୍ୟାସକୁ ଏବେ ପ୍ଲାଷ୍ଟିକ୍ ବା ପେଟ୍ରୋକେମିକାଲ୍ସ ତିଆରିରେ ବ୍ୟବହାର କରାଯାଇପାରିବ ନାହିଁ । IOCL, HPCL ଏବଂ BPCL ଭଳି ସରକାରୀ କମ୍ପାନୀଗୁଡ଼ିକୁ ସପ୍ଲାଏ ଚେନ୍ ମଜବୁତ କରିବାକୁ କୁହାଯାଇଛି । ଲକ୍ଷ୍ୟ ହେଉଛି— ଦେଶର ୩୩ କୋଟି ଗ୍ରାହକ ଯେପରି ସିଲିଣ୍ଡର ଅଭାବର ସମ୍ମୁଖୀନ ନ ହୁଅନ୍ତି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କତାର୍‌ ର ‘ରାସ ଲାଫାନ୍’ ପ୍ଲାଣ୍ଟ ଉପରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ଭାରତକୁ ଆସୁଥିବା LPG ଯୋଗାଣରେ ୪୦ ପ୍ରତିଶତ ହ୍ରାସ ଘଟିଛି । ବିଶେଷ କରି ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ ଯୁଦ୍ଧ କାରଣରୁ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି। ଭାରତ ନିଜର ୫୦% ଅଶୋଧିତ ତେଲ ଏବଂ ୫୪% LNG ଏହି ମାର୍ଗ ଦେଇ ଆମଦାନୀ କରିଥାଏ।

ଯେଉଁଠି ଦିନକୁ ୯୧ଟି ଜାହାଜ ଚଳାଚଳ କରୁଥିଲା, ଏବେ ତାହା କମି ମାତ୍ର ୨୬ରେ ପହଞ୍ଚିଛି।

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭଳି ଘରୋଇ କମ୍ପାନୀଙ୍କ ଲାଭ ଉପରେ ପ୍ରଭାବ ପଡ଼ିପାରେ। ଅନ୍ୟପଟେ, ସିଟି ଗ୍ୟାସ ବିତରକ କମ୍ପାନୀଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ, ଯଦି ବାହାରୁ ମହଙ୍ଗା ଦରରେ ଗ୍ୟାସ କିଣିବାକୁ ପଡ଼େ, ତେବେ CNG ଏବଂ PNG ର ଦାମ ବଢ଼ିପାରେ। ଏଭଳି ସ୍ଥିତିରେ ଗ୍ରାହକମାନେ ଇଲେକ୍ଟ୍ରିକ୍ ଭେହିକିଲ୍ ଆଡ଼କୁ ଅଧିକ ଆକୃଷ୍ଟ ହେବାର ସମ୍ଭାବନା ରହିଛି। ସରକାର ଏବେ ମୁନାଫା ଅପେକ୍ଷା ‘ଶକ୍ତି ସୁରକ୍ଷା’ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

Leave A Reply

Your email address will not be published.