ଦିଗପହଣ୍ଡି: ଗୁରୁବାର କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଥିଲେ। ବିଜୟ ପଟ୍ଟନାୟକ ଦିଗପହଣ୍ଡିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ଜିଲ୍ଲାରେ ସରକାରୀ କଳର ଅପବ୍ୟବହାର ହେଉଥିବା ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ବିଜୁ ଜନତା ଦଳର (ବିଜେଡି) କାର୍ଯ୍ୟକ୍ରମକୁ ସଫଳ କରିବା ଏବଂ ନିର୍ବାଚନ ଜିତିବା ପାଇଁ ସରକାର ବିଡିଓ, ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ସମେତ ଅଧିକାରୀଙ୍କୁ ଚାପ ପକାଉଛନ୍ତି। ଏଭଳି ପ୍ରଥାକୁ ନିନ୍ଦା କରିବା ସହ ଏହା ଉପରେ ରୋକ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ।
ବିଜୟ ପଟ୍ଟନାୟକ ଆହୁରି କହିଥିଲେ ଯେ କରୋନା ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକ ଗଞ୍ଜାମ ସମେତ ଓଡ଼ିଶାକୁ ଫେରିଛନ୍ତି। ତେବେ ଏମାନଙ୍କ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ଠୋସ୍ ତଥ୍ୟ ନାହିଁ, ଯାହାକି ଲଜ୍ୟାଜନକ। ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ବ୍ୟାପକ ପଦକ୍ଷେପ ନେଉନଥିବାରୁ କଂଗ୍ରେସ ନେତା ସମାଲୋଚନା କରିଛନ୍ତି।
ସେ ଗୋପାଳପୁର ବିଷୟରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ, ଯେଉଁଠି ଲୋକଙ୍କ ଠାରୁ ହଜାର ହଜାର ଏକର ଜମି ଅଧିଗ୍ରହଣ କରାଯାଇଥିଲା, କିନ୍ତୁ କିଛି କରାଯାଇ ନାହିଁ। ଏହି ଅଞ୍ଚଳରେ ଟେକ୍ସଟାଇଲ୍ ମିଲ୍ ଓ ଗାର୍ମେଣ୍ଟ୍ ନିର୍ମାଣ ୟୁନିଟ୍ ସ୍ଥାପନ କଲେ ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବିଜୟ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି।
କଂଗ୍ରେସ ଅମଳରେ ଆସ୍କା ଠାରେ ସ୍ଥାପିତ ହୋଇଥିବା ସୂତାକଳ ଓ ଚିନିକଳ ପ୍ରାୟ ଅଚଳ ହୋଇପଡିଥିବା ବେଳେ ଗଞ୍ଜାମରେ ଅନ୍ୟ ଶିଳ୍ପାନୁଷ୍ଠାନ ଗୁଡିକ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଆହ୍ୱାନ କରିଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତାଙ୍କ ଟିମ୍ ସହ ଜାପାନ ଗସ୍ତରେ ଯାଇଥିବା ବେଳେ ଏହି ଅଞ୍ଚଳରେ ଟେକ୍ସଟାଇଲ୍ କିମ୍ବା ଅଟୋମୋବାଇଲ୍ କମ୍ପେ୍ଲକ୍ସ ସ୍ଥାପନ କରିବାକୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ହଜାର ହଜାର ଲୋକ ଉପକୃତ ହେବେ।
Comments are closed.