Latest Odisha News

କଟିଛି କି ଇ – ଚାଲାଣ ? ସରକାର ଆଣୁଛନ୍ତି ଓଟିଏସ ବ୍ୟବସ୍ଥା..

ଭୁବନେଶ୍ବର : ଆପଣଙ୍କର କଟିଛି କି ଇ – ଚାଲାଣ ? ହୋଇପାରେ କୋହଳ ବ୍ୟବସ୍ଥା। ଏନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର।  ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି। ସରକାର ଆଣିପାରନ୍ତି ୱାନ୍ ଟାଇମ୍ ସେଟେଲମେଣ୍ଟ (OTS) ବ୍ୟବସ୍ଥା। କିନ୍ତୁ ଏହି ବ୍ୟବସ୍ଥା ପରେ କଡ଼ାକଡ଼ି ହେବ ନିୟମ। ଇ- ଚାଲାଣ କଡାକଡି ଭାବରେ ଆଦାଯ ହେବ। ଚାଲାଣ ସହ ସମାନ ସମୟରେ କୋର୍ଟରୁ ପଠାଯିବ ସମନ।

ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି କୋଟି କୋଟି ଟଙ୍କା। ଅନାଦେୟ ଭାବରେ ୧୨ ଶହ ୧୫ କୋଟି ଟଙ୍କା ଏବେ ମଧ୍ୟ ପଡି ରହିଛି। ପରିବହନ ବିଭାଗର ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ। ଏତେ ପରିମାଣର ଅନାଦେୟ ଜରିମାନା ଆଦାୟ କରିବାକୁ ଏବେ ଓଟିଏସ ପ୍ରକ୍ରିୟା ଅପଣେଇବେ ରାଜ୍ୟ ସରକାର।

ଏନେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଗତ୪ ବର୍ଷରେ ଇ-ଚାଲାଣ ବାବଦକୁ ଅର୍ଥକୁ ଓଟିଏସ ଜରିଆରେ ଆଦାୟ କରାଯିବା ପରେ ନିୟମ କଡ଼ାକଡ଼ି ହେବ। ପରବର୍ତ୍ତୀ ସମୟରେ ଅର୍ଥ ଆଦାୟ ପାଇଁ କୋର୍ଟରୁ ଘରକୁ ସମନ ପଠାଯିବ।

ପରିବହନ ବିଭାଗ ତଥ୍ୟ କହୁଛି ୨୦୨୦ରୁ ଚଳିତ ବର୍ଷ ମେ ମାସ ଭିତରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୫୬ ଲକ୍ଷ ୮୧ ହଜାର ୯୯୩ଟି ଇ-ଚାଲାଣ କଟାଯାଇଥିଲା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ୭୭ ହଜାର ୭୧୮ଟି ଚାଲାଣ ବାବଦକୁ ଜରିମାନା ଅର୍ଥ ଆଦାୟ ହୋଇପାରିନି।

ଏତେ ପରିମାଣରେ ଇ-ଚାଲାଣ କେମିତି କଟାଗଲା ଏବଂ ଚାଲାଣ ବାବଦକୁ ଜରିମାନା ଅର୍ଥ କାହିଁକି ଅନାଦେୟ ରହିଲା, ତାର କାରଣ ଦର୍ଶାଇଛନ୍ତି ସଡ଼କ ସୁରକ୍ଷା କର୍ମୀ ରବି ଶତପଥୀ। ସେ କହିଛନ୍ତି, ଦୁର୍ଘଟଣା ରୋକିବାକୁ ପରିବହନ ଓ ପୁଲିସ ବିଭାଗ କେବଳ ଗାଡ଼ି ଚାଳକଙ୍କଠାରୁ ଫାଇନ୍ କାଟିବାକୁ ହିଁ ମୁଖ୍ୟ କାମ ଭାବି ନେଇଥିଲେ। ବିଭାଗ ଟ୍ରାଫିକ କନେଷ୍ଟବଳ ମାନଙ୍କୁ ଟାର୍ଗେଟ ଦେଉଥିବାରୁ ବହୁ ଅନାବଶ୍ୟକ ଫଟୋ ସେମାନେ ଉଠାଇଛନ୍ତି। ଯାହା ଫଳରେ ସାଧାରଣ ଜନତା କ୍ଷତିର ଶିକାର ହେଉଛନ୍ତି। ଗୋଟିଏ ସଚେତନ ରାଜ୍ୟରେ ଏଭଳି ନହେଲେ ଭଲ ବୋଲି ସେ ମତ ପ୍ରକାଶ କରିଛନ୍ତି।

 

ତେବେ କେବେ ଆସିବ ଓଟିଏସ ବ୍ୟବସ୍ଥା ଓ କଣ ରହିବ ତାର ଗାଇଡଲାଇନ ତାହା ପରବର୍ତ୍ତୀ ସମୟରେ ଜାଣିବାକୁ ମିଳିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.