Latest Odisha News

‘ମକର ସଂକ୍ରାନ୍ତି’ ଦିନ ଛୁଟି ରହିବ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୫ ତାରିଖରେ ପାଳିତ ହେଉଥିବା ମକର ସଂକ୍ରାନ୍ତି ଦିନ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ ଏବଂ ଏହି ଦିବସଟିକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ।

ଜାନୁଆରୀ ୧୫ ତାରିଖ ଦିନ ମକର ସଂକ୍ରାନ୍ତି ପଡୁଥିବା ଯୋଗୁୃଁ ଏହି ଦିନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ (ସିଏମଓ)ରେ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

ରାଜ୍ୟରେ ଧାନ ଅମଳ ହେବାପରେ କୃଷକ ପ୍ରଧାନ ଓଡ଼ିଶା ରାଜ୍ୟର ସମସ୍ତ ଅଧିବାସୀମାନେ ଏହି ପବିତ୍ର ମକର ସଂକ୍ରାନ୍ତିକୁ ବଡ଼ ଧୁମଧାମରେ ପାଳନ କରିଥାଆନ୍ତି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁରୀସ୍ଥିତ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାଆନ୍ତି । ଏହିଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ‘ମକର ବେଶ’ ନୀତି ଅନୁଷ୍ଠିତ ହୋଇଥାଏ ।

ମକର ସଂକ୍ରାନ୍ତି ଦିନ ଓଡ଼ିଶାର ଘରେ ଘରେ ସୁଜି ପିଠା, ପୋଡ଼ ପିଠା ସହିତ ସୁସ୍ୱାଦୁ ଆରିସା କାକରା ତିଆରି ହୋଇଥାଏ । ମକର ସଂକ୍ରାନ୍ତି ଦିନ ମୁଢି ମୁଆଁ ମଧ୍ୟ ଭୋଗ ହୋଇ ପରସା ଯାଇଥାଏ । ଏକ ଲଡୁ ଆକାରରେ ଏହି ମୁଢି ମୁଆଁ ତିଆରି ହୋଇଥାଏ ।

କେବଳ ସେତିକି ନୁହେଁ, ମକର ସଂକ୍ରାନ୍ତିର ମୁଖ୍ୟ ଆକର୍ଷଣ ହେଲା ‘ମକର ଚାଉଳ’ । ଧାନକ୍ଷେତରେ ନୂଆ ଅମଳ ହୋଇଥିବା ଚାଉଳରେ କଦଳୀ, ନଡ଼ିଆ, ଚିନି, ଘିଅ ଏବଂ କିଛି ମସଲା ପକାଯାଇ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।

Leave A Reply

Your email address will not be published.