Latest Odisha News

BREAKING NEWS

କୁମ୍ଭ ମେଳା ପ୍ରସ୍ତୁତି:୩ହଜାର ହୋଟେଲକୁ କୋଭିଡ୍ କେୟାର୍ ସେଣ୍ଟର୍ କରିବେ ସରକାର

ହରିଦ୍ୱାର: ଦୁନିଆର ସବୁଠାରୁ ବଡ ଧାର୍ମିକ ମେଳା ମହାକୁମ୍ଭ ମେଳା ଏଥର ହରିଦ୍ୱାରରେ ହେବାକୁ ଯାଉଛି । ମହାକୁମ୍ଭକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କୁମ୍ଭରେ ପବିତ୍ର ସ୍ନାନ କରିବେ । କିନ୍ତୁ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଅସୁବିଧା ସାମ୍ନା କରିବାକୁ ପଡିପାରେ । ହରିଦ୍ୱାର ଜିଲ୍ଲା ପ୍ରଶାସନ ପାଖାପାଖି ୩ ହଜାର ହୋଟେଲକୁ କୋଭିଡ କେୟାର ସେଣ୍ଟର କରିବାକୁ ଚିହ୍ନଟ କରିଛି ।

ସେଥିପାଇଁ ଶ୍ରଦ୍ଧାଳୁଙ୍କୁ ହୋଟେଲ ବୁକିଂରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଦିନେ ଦୁଇ ଦିନ ଭିତରେ ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟରର ଅଧିଗ୍ରହଣ ନେଇ ସୂଚନା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ହୋଟେଲ ବ୍ୟବସାୟୀ ଚିନ୍ତିତ ହୋଇପଡିଛନ୍ତି ।

କରୋନା ଯୋଗୁଁ କୁମ୍ଭ ମେଳାରେ ବିଶେଷ ବ୍ୟବସ୍ଥା କରାଯାଉଛି । ତେବେ ସରକାର ଏବେ ଯାଏଁ କୌଣସି ନୋଟିଫିକେସନ ଜାରି କରିନାହାନ୍ତି । କିନ୍ତୁ କୁମ୍ଭ ମେଳାକୁ ନେଇ ପ୍ରଶାସନ ବଡ ସ୍ଥରରେ ପ୍ରସ୍ତୁତି କରୁଛି । ସମୟ ଆସିଲେ ଏବଂ ଆବଶ୍ୟକ ପଡିଲେ ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରିବାକୁ ହଜାର ହଜାର ହୋଟେଲ ଚିହ୍ନଟ କରାଯାଇଛି ।

କୋଭିଡ କେୟାର ପାଇଁ ଜିଲ୍ଲା ପ୍ରଶାସନ ପ୍ରାୟ ୧୦ ହଜାର ବେଡ଼ ପ୍ରସ୍ତୁତ କରୁଛି । ତାଛଡା ମେଳା ପ୍ରଶାସନ ମଧ୍ୟ ଏଥିପାଇଁ ଅଲଗା ପ୍ରସ୍ତୁତି କରୁଛି ।
ହୋଟେଲ ବ୍ୟବସାୟୀ କହିଛନ୍ତି ପ୍ରଶାସନ ଯଦି ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟର କରିଦେବ ତାହେଲେ ଶ୍ରଦ୍ଧାଳୁ କେଉଁଠି ରହିବେ । ଏହି ନିଷ୍ପତ୍ତି ଦ୍ୱାରା ତାଙ୍କ ବ୍ୟବସାୟ ମଧ୍ୟ ମାଡ ଖାଇବ । ପ୍ରଶାସନ ଏଥିପାଇଁ ନିଜ ସ୍ଥରରେ ବ୍ୟବସ୍ଥା କରିବା ଉଚିତ ବୋଲି ହୋଟେଲ ବ୍ୟବସାୟୀ କହିଛନ୍ତି । ଏନେଇ ହୋଟେଲ ମାଲିକ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି । ପୂର୍ବରୁ ଜିଲ୍ଲା ପ୍ରଶାସନ ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟର କରିଥିଲା ଯାହାର ଟଙ୍କା ଆଜି ଯାଏଁ ଦେଇନି ବୋଲି ବ୍ୟବସାୟୀ କହିଛନ୍ତି ।

Leave A Reply

Your email address will not be published.