Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳର ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ “ଗ୍ରାମୋଦୟ”(GRAMODAYA) ଅଭିଯାନ ମାଧ୍ୟମରେ ୧୦ଟି ଜିଲ୍ଲାର ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯିବ ।

ଏହି ଯୋଜନା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ମୋଟ ୨,୪୨,୫୦,୦୦୦ ଟଙ୍କା (୨ କୋଟି ୪୨ ଲକ୍ଷ ୫୦ ହଜାର) ମଞ୍ଜୁର କରାଯାଇଛି। ପ୍ରତ୍ୟେକ ଚିହ୍ନିତ ଗ୍ରାମକୁ ୫୦,୦୦୦ ଟଙ୍କା ମୂଲ୍ୟର କ୍ରୀଡ଼ା କିଟ୍ ପ୍ରଦାନ କରାଯିବ । ବରଗଡ଼, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାର ଯୁବକଯୁବତୀମାନେ ଏହାଦ୍ୱାରା ଉପକୃତ ହେବେ ।

ପ୍ରତି ଗ୍ରାମକୁ ଦିଆଯିବାକୁ ଥିବା ଷ୍ଟାଣ୍ଡାର୍ଡ କ୍ରୀଡ଼ା କିଟ୍‌ରେ କ୍ରିକେଟ୍, ଫୁଟବଲ୍, ଭଲିବଲ୍, ବ୍ୟାଡମିଣ୍ଟନ୍ ସମେତ ଚେସ୍ ଏବଂ କ୍ୟାରମ୍ ଭଳି ଇନଡୋର ଗେମ୍‌ର ସମସ୍ତ ଆବଶ୍ୟକୀୟ ସାମଗ୍ରୀ ରହିବ ।

ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ଯେ, କ୍ରୀଡ଼ା ସାମଗ୍ରୀ କିଣିବା ଦାୟିତ୍ୱ ସ୍ଥାନୀୟ ଯୁବ କ୍ଲବମାନଙ୍କୁ ଦିଆଯିବ । ଯେଉଁ ଗ୍ରାମରେ କ୍ଲବ ନାହିଁ, ସେଠାରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହାୟତାରେ ନୂତନ କ୍ଲବ ଗଠନ କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ାଯିବ ।

“ଗ୍ରାମୋଦୟ” କେବଳ ଏକ ବିତରଣ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାଓ ପ୍ରଭାବିତ ଅଞ୍ଚଳରେ ଶାନ୍ତି, ପ୍ରଗତି ଏବଂ ସାମାଜିକ ସଂହତିର ଏକ ବାର୍ତ୍ତା । କ୍ରୀଡ଼ା ମାଧ୍ୟମରେ ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ଏକ ସୁସ୍ଥ ତଥା ଅନୁଶାସିତ ଜୀବନଶୈଳୀ ପ୍ରଦାନ କରିବା ଓଡ଼ିଶା ସରକାରଙ୍କ ମୂଳ ଲକ୍ଷ୍ୟ ।

Leave A Reply

Your email address will not be published.