ପୁରୀ: ପୁରୀବାସୀଙ୍କ ପାଇଁ ଖୁସି ଖବର । ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ । ଓଡ଼ିଶାର ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ (ଷ୍ଟେଜ୍-୧) ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ କିଛି ସର୍ତ୍ତ ସହିତ ଅନୁମତି ଦେଇଛନ୍ତି । ନୀତିଗତ ଭାବେ ରାଜି, କିନ୍ତୁ ଚୂଡ଼ାନ୍ତ ଅନୁମତି ପୂର୍ବରୁ କିଛି ନିୟମ ପାଳନ କରିବାକୁ ପଡ଼ିବ । କ୍ଷତିପୂରଣ ହେଉଥିବା ପାଇଁ ଅନ୍ୟ ସ୍ଥାନରେ ନୂଆ ଗଛ ଲଗାଇବାକୁ ହେବ । ଜଙ୍ଗଲ ଜମି ବ୍ୟବହାର ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ହେବ ।
ସ୍ଥାନୀୟ ପ୍ରଶାସନ ଏବଂ ଆବଶ୍ୟକ ସ୍ଥଳେ ଜନଜାତିଙ୍କ ସହମତି ନେବା । ଜୀବଜନ୍ତୁ ଓ ପରିବେଶର ଯତ୍ନ ନେବା ପାଇଁ ବ୍ୟବସ୍ଥା କରିବା । ରାଜ୍ୟ ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତ ସର୍ତ୍ତ ପୂରଣ କରିବେ । ଏହାପରେ ଷ୍ଟେଜ୍-୨ ବା ଚୂଡ଼ାନ୍ତ ଅନୁମତି ପାଇଁ ଆବେଦନ କରିପାରିବେ ।
ସୂଚନାଯୋଗ୍ୟ ଯେ, ୧୧୬୪ ଏକର ଜମି ଉପରେ ନିର୍ମାଣ ହେବ ପ୍ରସ୍ତାବିତ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର । ସେଥିମଧ୍ୟରୁ ୯୪୩ ଏକର ସରକାରୀ ଜମି ଥିବା ବେଳେ ୨୨୧ ଏକର ଘରୋଇ ଜମି ରହିଛି । ଏହି ବିମାନବନ୍ଦର ନିର୍ମାଣ ହେବା ଦ୍ୱାରା ପୁରୀକୁ ଗମନାଗମନରେ ସୁବିଧା ହେବ । ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ଏଣିକି ଭୁବନେଶ୍ୱର ପରିବର୍ତ୍ତେ ପୁରୀରେ ଓହ୍ଲାଇ ପାରିବେ ।