Latest Odisha News

BREAKING NEWS

ମୃତ୍ୟୁ ଲୁଟି ନେଲା ଖୁସି; କନ୍ୟାକୁ ସିନ୍ଦୂର ପିନ୍ଧାଇ ଟଳି ପଡିଲେ ବର

ପାଟନା: ମୃତ୍ୟୁ କେତେ ଅସହିଷ୍ଣୁ ? କେତେ ଅବିବେକୀ ? ଆଖିର ସ୍ୱପ୍ନ ଆଉ ଓଠର ହସକୁ କେତେ ସହଜରେ ଆଖି ପିଛୁଳାକେ  ପୋଛି ନେଇପାରେ ମୃତ୍ୟୁ ? ଏ ପ୍ରଶ୍ନ ଆମର ନୁହେଁ, ବିହାରର ଏହି ଦୁଃଖଦ ଘଟଣା ଶୁଣିଲେ ଆପଣ ମଧ୍ୟ ଏହା  ଭାବିବେ  ।

BjdElectrycity

ମେ ୩ ତାରିଖର ଘଟଣା । ବିହାରର ଭାଗଲପୁରରେ ଚାଲିଥିଲା ଏକ ବାହାଘର  । ବଧୂ ବେଶରେ ସଜେଇ ହୋଇଥିଲେ ଆୟୂଷୀ । ଝାରଖଣ୍ଡର ପଶ୍ଚିମ ସିଂହଭୂମ ବାସିନ୍ଦା ବିନୀତଙ୍କ ସହ ତାଙ୍କର ବାହାଘର ଚାଲିଥାଏ । ବିନୀତ ଜଣେ ସଫ୍ଟଓୟାର ଇଞ୍ଜିନିୟର । ଆୟୂଷୀ ମଧ୍ୟ ଏକ ମଲ୍ଟି ନାଶନାଲ କମ୍ପାନୀରେ ଚାକିରି କରନ୍ତି ।

ମେ ୩ ତାରିଖ ବିନୀତ ବରଯାତ୍ରୀ ସହ ପହଞ୍ଚିଥିଲେ ଆୟୂଷୀଙ୍କ ଘରେ । ସ୍ଥାନୀୟ ଏକ ମଣ୍ଡପରେ ଅପେକ୍ଷା କରିଥିଲେ କନ୍ୟାପକ୍ଷ।  ସ୍ୱାଗତ ସମ୍ବର୍ଦ୍ଧନା ଭିତରେ ପାଛୋଟି ନେଲେ ବର ଓ ବରଯାତ୍ରୀଙ୍କୁ । ପରମ୍ପରା ଅନୁଯାୟୀ, ଜୟମାଲା, ଫୋଟୋ ସେସନ ସବୁ ସରିଲା । ୪ ମେ’ ଅର୍ଥାତ ଗୁରୁବାର ଦିନ ସକାଳୁ ସକାଳୁ ସରିଲା ସିନ୍ଦୂର ପିନ୍ଧା କାର୍ଯ୍ୟକ୍ରମ ।

ଖୁବ ଧୂମଧାମରେ ସରିଲା ବାହାଘର । ଘର ବନ୍ଧୁବାନ୍ଧବ ଗହଣରେ ହସଖୁସିରେ ଫାଟି ପଡୁଥାଏ । ଆଉ କିଛି ସମୟ ପରେ ହେବ କନ୍ୟାଦାନ । ହଠାତ ବିନୀତ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ସେ ବାଥରୁମ ଗଲେ । ସେଠାରୁ ଫେରିବା ପରେ ଛାତି ଯନ୍ତ୍ରଣା ବଢିଲା । ସେ ଛଟପଟ ହୋଇ ତଳେ ପଡି ଅଚେତ ହୋଇ ଗଲେ । ଉପସ୍ଥିତ ବନ୍ଧୁ ପରିଜନ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ । ହେଲେ ସେ ଉଠିଲେ ନାହିଁ ।

ପରିବାର ଲୋକେ ତାଙ୍କୁ ତୁରନ୍ତ ମାୟାଗଞ୍ଜ ଡାକ୍ତରଖାନା ନେଇ ଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ବିନୀତଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ଅର୍ଥାତ ମେ’ ୨ ତାରିଖ ବିନୀତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ଗ୍ୟାସ ସମସ୍ୟା ବୋଲି ଭାବିଥିଲେ । ଗ୍ୟାସ ମେଡିସିନ ଖାଇବା ପରେ ସେ ସୁସ୍ଥ ହୋଇଥିଲେ । ତେଣୁ ପରିବାର ଲୋକେ ଏହାକୁ ଏତେ ଗୁରୁତ୍ୱ ଦେଇ ନ ଥିଲେ ।

ଯାହା ବି ହେଉ, ଏହି ଦୁଃଖଦ ଖବର ଝିଅଘରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି । ବଧୂବେଶରେ ସଜେଇ ହୋଇ ଶାଶୂଘର ଯିବା ପାଇଁ ଅପେକ୍ଷା କରିଥିବା ଆୟୂଷି ଖବର ଶୁଣି ଅଚେତ ହେଇପଡିଥିଲେ । ହସଖୁସିରେ ଉଛୁଳିଥିବା ଘରେ ପଡି ଯାଇଥିଲା କାନ୍ଦ ବୋବାଳି ।

Leave A Reply

Your email address will not be published.