Latest Odisha News

ଚାଷୀ ମାନଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତିର ଭିତ୍ତିଭୂମି

ଭୁବନେଶ୍ୱର: ଏକବିଂଶ ଶତାଦ୍ଦୀରେ ଚାଷୀମାନଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତିର ଭିତ୍ତିଭୂମି । ଏଥି ନିମନ୍ତେ ସବୁ ସ୍ତରରେ କର୍ମଶାଳା ଆୟୋଜିତ ହୋଇ କୌଶଳ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ରେ ଅନୁଷ୍ଠିତ ଏକ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦ୍ୱାରା ପରିଚାଳିତ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୁବବର୍ଗଙ୍କୁ ଏହି କୌଶଳ ବିକାଶରେ ସାମିଲ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଉତ୍ସବରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶର ସବୁ ସ୍ତରର ଯୁବ ବର୍ଗ ଏହି ଅଭିଯାନରେ ସାମିଲ ହେବାକୁ ପ୍ରଫେସର ନନ୍ଦ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଆଇଏଏସ୍ ପକ୍ଷରୁ ତିନୋଟି କୃଷି ଭିତ୍ତିକ କୌଶଳ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ତିନୋଟି କାର୍ଯ୍ୟକ୍ରମରେ କ୍ଷୁଦ୍ର ଛତୁ ଚାଷୀ, ମହୁମାଛି ପାଳନ ଓ କ୍ଷୁଦ୍ର ଜୈବିକ ଚାଷୀ (ଅର୍ଗାନିକ ଫାର୍ମର) ମାନଙ୍କୁ ବିଶେଷ ଭାବେ ଅନ୍ତଭୁର୍କ୍ତ କରାଯାଇଛି ।

ଏପ୍ରିଲ୍ ୨୯ ତାରିଖ ଦିନ ଅନୁଷ୍ଠିତ ଏହି ଉତ୍ସବରେ ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଆଇଏଏସ୍ ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଏହି ତିନୋଟି କୌଶଳ ବିକାଶ ଯୋଜନାକୁ ସଫଳ କରିବା ନିମନ୍ତେ ବୈଜ୍ଞାନିକ, ଶିକ୍ଷକ ତଥା ଛାତ୍ରଛାତ୍ରୀମାନେ ମଧ୍ୟ ତତ୍ପର ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ୨୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ହେବାକୁ ଥିବା କର୍ମଶାଳା ନିମନ୍ତେ ଯୋଗ୍ୟତା ଅନୁଯାୟୀ ମନୋନୟନ କରାଯାଇଥିଲା । ଏହି ଉତ୍ସବରେ କୌଶଳ ବିକାଶ ଯୋଜନା ପକ୍ଷରୁ ଅଶୋକ କୁମାର ନାୟକ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଭାରତ ସରକାରଙ୍କ କୌଶଳ ଓ ଉଦ୍ୟମଶୀଳତା ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଦେଶର ବିଭିନ୍ନ ସ୍ଥାନରେ କୌଶଳ ବିକାଶ କେନ୍ଦ୍ରମାନ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.