Latest Odisha News

BREAKING NEWS

Flood Wedding: ବାଧକ ସାଜିପାରିଲା ନାହିଁ ବନ୍ୟାପାଣି, ଡଙ୍ଗାରେ ବରଯାତ୍ରୀ ନେଇ ଗଲେ, ସାଙ୍ଗରେ କନ୍ୟାଙ୍କୁ ନେଇ ଫେରିଲେ…

ସିମୁଳିଆ(ଯାଜପୁର): ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ନିଆରା ବାହାଘରର କାହାଣୀ। ବନ୍ୟା ପାଇଁ ରାସ୍ତାଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବାରୁ ବରଯାତ୍ରୀ ଘୋଡ଼ା କିମ୍ବା କାର୍‌ରେ ନୁହେଁ, ବରଂ ମୋଟରଚାଳିତ ଦେଶୀ ଡଙ୍ଗା ‘ଭୁଟଭୁଟି’ରେ କନ୍ୟା ଘରକୁ ଯାଇଥିଲେ। ଏହି ନିଆରା ବରଯାତ୍ରୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ସିମୁଳିଆ ଗାଁର ଜଣେ ଯୁବକଙ୍କ ବିବାହ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ସ୍ଥିର ହୋଇଥିଲା। ବିବାହର ସମସ୍ତ ପ୍ରସ୍ତୁତି ସରିଥିଲା ଏବଂ ତାରିଖ ମଧ୍ୟ ପୂର୍ବରୁ ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଗାଁର ରାସ୍ତା ପାଣିରେ ବୁଡ଼ିଯାଇଥିଲା। ଫଳରେ ବରଯାତ୍ରୀ କିପରି କନ୍ୟା ଘରେ ପହଞ୍ଚିବେ, ତାହା ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଥିଲା।

ତେବେ ପରିବାର ଲୋକେ ବିବାହ ଘୁଞ୍ଚାଇବା ପରିବର୍ତ୍ତେ ବିକଳ୍ପ ବାଟ ବାଛିଥିଲେ। ରାସ୍ତା ବନ୍ଦ ଥିବାରୁ ବର ଶେରୱାନୀ ପିନ୍ଧି ସମ୍ପର୍କୀୟ ଓ ବରଯାତ୍ରୀଙ୍କ ସହ ‘ଭୁଟଭୁଟି’ ଡଙ୍ଗାରେ ବସି ବନ୍ୟା ପାଣି ଭିତରେ କନ୍ୟା ଘର ଅଭିମୁଖେ ବାହାରିଥିଲେ। ଏହି ବରଯାତ୍ରୀରେ ନା ଘୋଡ଼ା ଥିଲା, ନା ଦାମୀ କାର୍, ନା ଡିଜେର ଧୁମଧାମ୍। ତଥାପି ବରଯାତ୍ରୀଙ୍କ ଉତ୍ସାହରେ କୌଣସି ଊଣା ଦେଖିବାକୁ ମିଳିନଥିଲା। ଡଙ୍ଗାରେ ଯାତ୍ରା ସମୟରେ ସମସ୍ତେ ହସଖୁସିରେ ବିବାହ ଉତ୍ସବକୁ ଉପଭୋଗ କରିଥିଲେ।

ବନ୍ୟା ପାଣି ମଧ୍ୟରେ ଯାଉଥିବା ଏହି ନିଆରା ବରଯାତ୍ରୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ରାସ୍ତା କଡ଼ରେ ଭିଡ଼ ଜମାଇଥିଲେ। ଅନେକ ମୋବାଇଲରେ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦେଖୁଦେଖୁ ଏହି ଭିଡିଓ ଭାଇରାଲ ହୋଇଯାଇଛି।

ବର ମଧ୍ୟ କେବେ କଳ୍ପନା କରିନଥିଲେ ଯେ ନିଜ ବିବାହ ପାଇଁ ତାଙ୍କୁ ଡଙ୍ଗାରେ ଯାତ୍ରା କରିବାକୁ ପଡ଼ିବ। ତେବେ ଏହି ଅନନ୍ୟ ଅନୁଭବ ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ପାଲଟିଛି। ବରଯାତ୍ରୀ ସୁରକ୍ଷିତ ଭାବେ କନ୍ୟା ଘରେ ପହଞ୍ଚିଥିବା ବେଳେ ନିର୍ଦ୍ଧାରିତ ସମୟରେ ବିବାହ ମଧ୍ୟ ସମ୍ପନ୍ନ ହୋଇଛି। ପରେ ସେଇ ଡଙ୍ଗାରେ ନିଜ ଧର୍ମପତ୍ନୀଙ୍କୁ ସାଥିରେ ଧରି ଘରକୁ ଫେରିଛନ୍ତି ଯୁବକ ।

ଏହି ଘଟଣା କେବଳ ଏକ ନିଆରା ବିବାହର କାହାଣୀ ନୁହେଁ, ବରଂ ବନ୍ୟା ପ୍ରଭାବିତ ଓଡ଼ିଶାର ବାସ୍ତବ ସ୍ଥିତିକୁ ମଧ୍ୟ ସାମ୍ନାକୁ ଆଣିଛି। ପ୍ରତିବର୍ଷ ବର୍ଷା ଋତୁରେ ଅନେକ ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇଯାଏ। ଫଳରେ ସ୍କୁଲକୁ ଯାଉଥିବା ପିଲାଠାରୁ ଆରମ୍ଭ କରି ହସ୍ପିଟାଲକୁ ଯାଉଥିବା ରୋଗୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଡଙ୍ଗା ହିଁ ଏକମାତ୍ର ଭରସା ପାଲଟିଥାଏ।

Leave A Reply

Your email address will not be published.